ସୁନାମି ମୁକାବିଲା ପ୍ରସ୍ତୁତି ସଚେତନତା କର୍ମଶାଳା ଅନୁଷ୍ଠିତ

ପୁରୀ- ତା. ୦୮.୧୦.୨୦୨୧- ସୁନାମି ମୁକାବିଲା ପ୍ରସ୍ତୁତି ସଚେତନତା କର୍ମଶାଳା ନୀଳାଦ୍ରି ବେଳାଭୂମିରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଭାରତ ମହାସାଗର ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ ଅଧିନରେ ଏହି କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ହୋଟେଲ ବ୍ୟବସାୟୀ,ସରକାରୀ କର୍ମଚାରୀ, ସମୁଦ୍ରକୂଳ ଉଠା ଦୋକାନୀ, ମତ୍ସଜିବୀ ସଂପ୍ରଦାୟର ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଶେଷଜ୍ଞ ଡଃ ଭୋଳାନାଥ ମିଶ୍ର ଯୋଗଦେଇ ସୁନାମି ସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ । ରାଜ୍ୟ ଉପକୂଳର ଗଞ୍ଜାମ, ଗୋପାଳପୁର, ପୁରୀ, କୋଣାର୍କ, ପାରାଦ୍ବୀପ ଭଳି ୫ଟି ସହର ଓ ୩୩୦ ଟି ଗ୍ରାମ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ସେହିଭଳି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ଓ ପୁରୀ ପୌର ସଂସ୍ଥାର ୮୮ଟି ଗ୍ରାମ ସୁନାମି ପ୍ରବଣ ଭାବେ ପରିଚିତ । ସୁନାମି ଆଗୁଆ ସୂଚନା ପାଇଁ ହାତରେ ଖୁବ କମ ସମୟ ରହୁଥିବାରୁ ସୁନାମିର ଆଶଙ୍କା ଦେଖାଗଲେ ନିରାପଦ ରାସ୍ତାଦେଇ ଉପକୂଳରୁ ଦୁଇ କିଲୋମିଟର ଦୂର ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ । ଆଗୁଆ ସୂଚନା ପାଇଁ ରାଜ୍ୟର ୧୨୨ ଟି ସ୍ଥାନରେ ସାଇରନ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ପୁରୀର ପେଣ୍ଠକଟାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ, ସମୁଦ୍ରକୂଳ ଓ ବଳିଆପଣ୍ତା ଥାନାର ତିନୋଟି ସ୍ଥାନ ସହ ଜିଲ୍ଲାର ୨୬ଟି ଯାଗାରେ ଏହି ଉଚ୍ଚ ଶଦ୍ଦ ସଂପର୍ଣ୍ଣ ସାଇରନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିଭଳି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ଯୋଗଦେଇ ସୁନାମି ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ । ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତି କରି ପ୍ରଶାସନକୁ ଅବଗତ କରିବାକୁ ହୋଟେଲ ମାଲିକ ମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏଥିସହ ଯୋଗଦେଇଥିବା ବିଭିନ୍ନ ବ୍ୟକ୍ତିବିଶେଷ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ଫିଡବ୍ୟାକ ଫାଉଣ୍ଟେସନର ଶ୍ରୀ ଜ୍ୟୋତି ପ୍ରକାଶ, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *