ଭେଣ୍ଡିଆ ପୁଅକୁ କ୍ୟାନସର- ଚିକିତ୍ସା ପାଇଁ ଅର୍ଥ ସାଜିଛି ସବୁଠୁ ବଡ଼ ପ୍ରତିବନ୍ଧକ l
Place -ବରଗଡ଼ Date -15.11.2026ବରଗଡ଼: ଦିନ ଥିଲା ଯେଉଁ ଘରେ ହସ ଓ ଖୁସିର ଶବ୍ଦ ଶୁଭୁଥିଲା, ଆଜି କିନ୍ତୁ ସେହି ଘରେ ପରିବାର ର ସମସ୍ତେ ରୋଗରେ ପୀଡିତ , ଅସହାୟତା ଓ ଅର୍ଥାଭାବର ନିରବ କାନ୍ଦଣା। ଗୋଟିଏ ପରେ ଗୋଟିଏ ରୋଗ ଏହି ପରିବାରକୁ ଏପରି ଗ୍ରାସ କରୁଛି ଯେ, ଜୀବନ ଜୀଇଁବା ମଧ୍ୟ ସେମାନଙ୍କ ପାଇଁ ଏବେ ଏକ ବଡ଼ ସଂଘର୍ଷ ପାଲଟିଛି। ସ୍ୱାମୀ ଓପନ୍ ହାର୍ଟ ସର୍ଜରି ପରେ ଦୁର୍ବଳ, ସ୍ତ୍ରୀ ପକ୍ଷାଘାତରେ ଶଯ୍ୟାଶାୟୀ ଏବଂ ଏକମାତ୍ର ୨୦ ବର୍ଷୀୟ ପୁଅ କ୍ୟାନସରରେ ରୋଗରେ ଆକ୍ରାନ୍ତ। ତା’ ଉପରେ ନିଜର ଘର ଖଣ୍ଡିଏ ନାହିଁ। ଏଭଳି ପରିସ୍ଥିତିରେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ନେତ୍ରାନନ୍ଦ ପ୍ରଧାନଙ୍କ ପାଇଁ ଅସମ୍ଭବପ୍ରାୟ ହୋଇପଡ଼ିଛି।ବରଗଡ଼ ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ନେତ୍ରାନନ୍ଦ ପ୍ରଧାନ। ପରିବାରର ପେଟ ପାଟଣା ପାଇଁ ନିଜ ଭିଟାମାଟି ଛାଡ଼ି ବରଗଡ଼ରେ ଆଶ୍ରୟ ନେଇଥିଲେ। ଏକ ବିହନ ଦୋକାନରେ ଦିନମଜୁରି କରି ଯେତିକି ରୋଜଗାର କରୁଥିଲେ, ସେଥିରେ କଷ୍ଟେମଷ୍ଟେ ଚାଲୁଥିଲା ସଂସାର। ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନ ଘର ସମ୍ଭାଳୁଥିଲେ ଏବଂ ପୁଅ ବଳରାମ ପ୍ରଧାନ ବଡ଼ ହୋଇ ପରିବାରର ଦୁଃଖ ଦୂର କରିବାର ସ୍ୱପ୍ନ ଦେଖୁଥିଲେ।ବରଗଡ଼ ପଞ୍ଚାୟତ କଲେଜରେ +୩ ଓଡ଼ିଆ ଅନର୍ସ ପଢ଼ୁଥିବା ବଳରାମଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ। ପାଠପଢ଼ା ଶେଷ କରି ନିଜ ପାଦରେ ଠିଆ ହେବେ ଏବଂ ପରିବାରର ଅଭାବ ଦୂର କରିବେ- ଏହି ଆଶାରେ ସେ ଆଗକୁ ବଢ଼ୁଥିଲେ। କିନ୍ତୁ ହଠାତ୍ ହୃଦରୋଗ ନେତ୍ରାନନ୍ଦଙ୍କ ଜୀବନକୁ ଓଲଟପାଲଟ କରିଦେଲା। ଓପନ୍ ହାର୍ଟ ସର୍ଜରି ପରେ ତାଙ୍କ ଶରୀର ଦୁର୍ବଳ ହୋଇପଡ଼ିଲା। ତଥାପି ପରିବାର ପାଇଁ ସେ ହାର ମାନିନଥିଲେ।ଦୁର୍ଭାଗ୍ୟ ଏତିକିରେ ଥମିଲା ନାହିଁ। ଲକ୍ଷ୍ମୀ ପ୍ରଧାନ ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ପରିବାରର ଦାୟିତ୍ୱ ଆହୁରି ବଢ଼ିଗଲା। ନିଜେ ଅସୁସ୍ଥ ଥିଲେ ମଧ୍ୟ ସ୍ତ୍ରୀଙ୍କ ଦେଖାଶୁଣା ଓ ଘରର ଖର୍ଚ୍ଚ ଚଳାଇବାକୁ ନେତ୍ରାନନ୍ଦ ଯଥାସମ୍ଭବ କାମ କରିଚାଲିଥିଲେ। ଏହି ସଂଘର୍ଷ ମଧ୍ୟରେ ଆଉ ଏକ ବଜ୍ରପାତ ଭଳି ଖବର ଆସିଲା- ଏକମାତ୍ର ପୁଅ ବଳରାମ କ୍ୟାନସରରେ ଆକ୍ରାନ୍ତ।ପୁଅର ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେଟ୍ସ୍କାନ୍, ଏମ୍ଆର୍ଆଇ ଓ କେମୋଥେରାପି ପାଇଁ ପ୍ରାୟ ୩୦ ହଜାର ଟଙ୍କା ଆବଶ୍ୟକ। କିନ୍ତୁ ମାସକୁ ମାତ୍ର ୮ ହଜାର ଟଙ୍କା ରୋଜଗାର କରୁଥିବା ନେତ୍ରାନନ୍ଦଙ୍କ ପାଇଁ ଏହି ଅର୍ଥ ଯୋଗାଡ଼ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଗୋଟିଏ ପଟେ ନିଜ ଔଷଧ, ଅନ୍ୟପଟେ ପକ୍ଷାଘାତଗ୍ରସ୍ତ ସ୍ତ୍ରୀଙ୍କ ଯତ୍ନ ଓ ଖର୍ଚ୍ଚ, ଆଉ ଏପଟେ ପୁଅର ମହଙ୍ଗା ଚିକିତ୍ସା-ସବୁକିଛି ମିଶି ତାଙ୍କୁ ଅସହାୟ କରିଦେଇଛି।ପେଟ ପାଇଁ ଖାଦ୍ୟ ଯେତିକି ଜରୁରୀ, ରୋଗ ପାଇଁ ଔଷଧ ଓ ଚିକିତ୍ସା ସେତିକି ଆବଶ୍ୟକ। ଏହି କଥାକୁ ହୃଦୟରେ ଧରି ନିଜ ଅସୁସ୍ଥତାକୁ ଅଣଦେଖା କରି ନେତ୍ରାନନ୍ଦ ପୁଣିଥରେ କାମକୁ ବାହାରୁଛନ୍ତି। ହାତରେ ଶକ୍ତି କମିଛି, ଶରୀରରେ ପୂର୍ବର ଦମ୍ଭ ନାହିଁ, କିନ୍ତୁ ପୁଅକୁ ବଞ୍ଚାଇବାର ଆଶା ତାଙ୍କୁ ଆଜି ବି କାମ କରିବାକୁ ବାଧ୍ୟ କରୁଛି।ଅର୍ଥାଭାବରୁ ପୁଅର ଚିକିତ୍ସା ବିଳମ୍ବିତ ହେଉଥିବା ବେଳେ ନେତ୍ରାନନ୍ଦଙ୍କ ଅସହାୟତା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ପୁଅର ଚିକିତ୍ସା ପାଇଁ ଟଙ୍କା ନଥିବା ବେଳେ ଜଣେ ବାପା ଆଉ କ’ଣ କରିପାରିବେ- ଏହି ପ୍ରଶ୍ନ ତାଙ୍କ ଆଖିର ଲୁହରେ ହିଁ ଉତ୍ତର ଖୋଜୁଛି।ନିଜର ଘର ଖଣ୍ଡିଏ ନଥିବା ଏହି ପରିବାର ପାଇଁ ସରକାରୀ ସହାୟତା ମଧ୍ୟ ଏପର୍ଯ୍ୟନ୍ତ ଆଶାନୁରୂପ ଭାବେ ପହଞ୍ଚିପାରିନାହିଁ। ରୋଗ ସହ ଲଢ଼ୁଥିବା ଏହି ତିନି ପ୍ରାଣୀଙ୍କ ପାଇଁ ଏବେ ସହାୟତାର ହାତଟିଏ ହିଁ ବଡ଼ ଆଶ୍ରୟ।ଏଭଳି ଦୁର୍ଦ୍ଦିନରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ପରିବାର ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଚିକିତ୍ସା ଓ ଆର୍ଥିକ ସହାୟତା ଯୋଗାଇଦେବା ସହିତ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ସମାଜର ସହୃଦୟ ବ୍ୟକ୍ତି, ବିଭିନ୍ନ ସଂଗଠନ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଏହି ପରିବାରର ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ କରାଯାଇଛି।କାରଣ ନେତ୍ରାନନ୍ଦଙ୍କୁ ଏବେ କେବଳ ଅର୍ଥର ଆବଶ୍ୟକତା ନାହିଁ; ତାଙ୍କ ପରିବାରକୁ ଆବଶ୍ୟକ ଏକ ଆଶାର ହାତ। ସେହି ହାତ ଯଦି ସମୟରେ ବଢ଼ିଆସେ, ହୁଏତ ଦୀର୍ଘଦିନ ଧରି ରୋଗର ଛାୟାରେ ହଜିଯାଇଥିବା ଏହି ପରିବାରର ମୁହଁରେ ପୁଣିଥରେ ହସ ଫେରିଆସିପାରେ l
