ବାଣ ଦୁର୍ଘଟଣା ସମ୍ପର୍କରେ ଏସଆରସି ଙ୍କ ତଦନ୍ତ ଆରମ୍ଭ
ବାଣ ଦୁର୍ଘଟଣା ସମ୍ପର୍କରେ ଏସଆରସି ଙ୍କ ତଦନ୍ତ ଆରମ୍ଭ।ପୁରୀ ୫/୬ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୁଷ୍କରିଣୀ ରେ ହୋଇଥିବା ବାଣ ଦୁର୍ଘଟଣା ର ତଦନ୍ତ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ ଆର ସି ସତ୍ୟବ୍ରତ ସାହୁ ଆଜି ପୁରୀ ସର୍କିଟ ହାଉସ ଠାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।ପୂର୍ବରୁ ଶ୍ରୀ ସାହୁ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ଆହତ ମାନ ଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।ସର୍କିଟ ହାଉସ ଠାରେ ଅନୁଷ୍ଠିତ ଶୁଣାଣି ରେ ପ୍ରାୟ ୩୦ ଜଣ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ, ପ୍ରତ୍ୟକ୍ଷଦର୍ଶୀ, ଉଦ୍ଧାରକାରୀ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି,ସ୍ୱଛାସେବୀ ଓ ସାଧାରଣ ଲୋକ ମାନ ଙ୍କ ଠାରୁ ଘଟଣା ସମ୍ପର୍କରେ ଏସ ଆର ସି ଜମାନବନ୍ଦୀ ନେଇଥିଲେ। କାହିଁକି ଓ କିପରି ଏହି ଘଟଣା ଘଟିଲା, କେଉଁ ବିଭାଗ ଦାୟିତ୍ୱ ରେ ତୃଟି ରହିଥିଲା,ଆଗକୁ କିପରି ଏଥିପାଇଁ ସତର୍କ ରହିବା ସହ ଏହିଭଳି ଘଟଣା କୁ ପ୍ରତିହତ କରାଯାଇ ପାରିବ ସେ ସମ୍ପର୍କରେ ଶ୍ରୀ ସାହୁ ତଦନ୍ତ କରିଥିଲେ।ପରବର୍ତ୍ତୀ ଶୁଣାଣି ଚଳିତ ମାସ ୭ ତାରିଖରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହେବ।ପୂର୍ବାହ୍ନ ୧୧.୩୦ ମିନିଟରେ ଦାୟିତ୍ୱ ରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କର ଜମାନବନ୍ଦୀ ନିଆଯିବ। ଅପରାହ୍ନ ୩.୩୦ ମିନିଟ ରୁ ଅପରାହ୍ନ ୫.୩୦ ମିନିଟ ପର୍ଯ୍ୟନ୍ତ ଜନସାଧାରଣ ଙ୍କ ମତାମତ ନିଆଯିବାର କାର୍ଯ୍ୟକ୍ରମ ରହିଛି।ଏହି ଶୁଣାଣି ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ ପି ପିନାକ ମିଶ୍ର, ଅତିରିକ୍ତ ଏସ ଆର ସି ପଦ୍ମନାଭ ବେହେରା ଓ ଏସ ଆର ସି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
