ଦୃଷ୍ଟିହୀନ ବ୍ୟକ୍ତିଙ୍କ କାହାଣୀ

ଇଏ ହେଉଛନ୍ତି ଜଣେ ଦିବ୍ୟାଙ୍ଗ। ପିଲାବେଳୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ମହାପ୍ରଭୁଙ୍କ ମୁଖ ମଣ୍ଡଳ ଦେଖିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲେ ମଧ୍ୟ ସେ କିନ୍ତୁ ଏଥିରେ ହତୋତ୍ସାହିତ ହୋଇ ନାହାନ୍ତି। ମହାପ୍ରଭୁଙ୍କ ଉପରେ ଗଭୀର ବିଶ୍ୱାସ ରଖି ଛୋଟିଆ ବ୍ୟବସାୟଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଏ ହେଉଛନ୍ତି ବ୍ରହ୍ମପୁର ହୁଗୁଳାପଟା ଅଞ୍ଚଳର ମିଟୁ ସ୍ବାଇଁ। ଦୀର୍ଘ ୪ ବର୍ଷ ହେବ ସେ ପୁରୀ ଆସି ଶ୍ରୀମନ୍ଦିର ନିକଟରେ ବାଦାମ ବିକ୍ରୀ କରି ନିଜର ପରିବାର ଚଳାଉଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ଆର୍ଥିକ ଅନଟନ ସତ୍ତ୍ୱେ ସେ ଭିକ୍ଷା ବୃତ୍ତିକୁ ଆଦରି ନାହାନ୍ତି। ବାଦାମ ବିକ୍ରୀ କରି ସ୍ବଳ୍ପ ରୋଜଗାର ଥିଲେ ମଧ୍ୟ ଏହା ଏକ ସମ୍ମାନ ଜନକ କାର୍ଯ୍ୟ ସହ ଏଥିରେ ତାଙ୍କ ପରିବାର ଚଳିଯାଏ ବୋଲି ମିଟୁ ସ୍ବାଇଁ କହିଛନ୍ତି। ଅନେକ ବ୍ୟକ୍ତି ଦିବ୍ୟାଙ୍ଗ ହୋଇନଥିଲେ ମଧ୍ୟ ଅଳସୁଆ ପ୍ରକୃତି ଯୋଗୁଁ ଭିକ୍ଷା ବୃତ୍ତିକୁ ଆଦରି ନେଇଛନ୍ତି। କିନ୍ତୁ ଏହି ଦିବ୍ୟାଙ୍ଗ ମିଟୁ ଭିକ୍ଷା ବୃତ୍ତି ଭଳି ହୀନ କାର୍ଯ୍ୟକୁ ନ ଆଦରି ନିଜେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରିଥିବା ବେଳେ ସେ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେହିପରି ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି କାର୍ଯ୍ୟ କଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି ମିଟୁ କହିଛନ୍ତି।

Leave a Reply

Your email address will not be published. Required fields are marked *