ଆଳସଂଖା ମେଡିସିନ୍ ଦୋକାନକୁ ବୋମାମାଡ଼ ଘଟଣା :
ଆଳସଂଖା ମେଡିସିନ୍ ଦୋକାନକୁ ବୋମାମାଡ଼ ଘଟଣା : ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ କୋଣାର୍କ – ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଆଳସଂଖା ଛକରେ ଥିବା ଏକ ଔଷଧ ଦୋକାନ ଉପରେ ବୋମାମାଡ଼ ଘଟଣାକୁ ନେଇ ରାମଚଣ୍ଡୀ ପୋଲିସ ପକ୍ଷରୁ ପ୍ରେସମିଟ୍ କରାଯାଇଛି । ଏହି ଘଟଣାରେ ପୋଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୯ ଜୁଲାଇ ରାତି ପ୍ରାୟ ୧୧ଟାରୁ ୧୧.୩୦ ମଧ୍ୟରେ ରୁଷିପଡା ଅଞ୍ଚଳର ପିଣ୍ଟୁ ଓରଫ ସଞ୍ଜୟ ସ୍ୱାଇଁ ଆଳସଂଖା ଠାରେ ଥିବା ପ୍ରଦୀପ କୁମାର ବିଶ୍ୱାଳଙ୍କ ମେଡିସିନ୍ ଷ୍ଟୋରକୁ ଆସି ଟଙ୍କା ଦାବି କରିଥିଲେ । ଦାବି ପୂରଣ ନହେଲେ ଦୋକାନ ବନ୍ଦ କରିଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ସମୟରେ ଅନ୍ୟ ଜଣେ ସହଯୋଗୀ ନିରଞ୍ଜନ ସାମନ୍ତରାୟ ଦୋକାନ ଉପରକୁ ଦୁଇଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବୋମାମାଡ଼ରେ ଦୋକାନର ଦରଜା ଓ ଔଷଧ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୋକାନୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ରାମଚଣ୍ଡୀ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତ ଜୋରଦାର କରି ୧୦୩/୨୦୨୫ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପିଣ୍ଟୁ ଓରଫ ସଞ୍ଜୟ ସ୍ୱାଇଁଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ପରେ ନୂତନ ଭାରପ୍ରାପ୍ତ ଅଧିକାରୀ ମମତା ବିଶ୍ୱାଳଙ୍କ ନେତୃତ୍ୱରେ ନିରଞ୍ଜନ ସାମନ୍ତରାୟଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତକୁ କୋଣାର୍କ ଅଦାଲତକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଘଟଣାସ୍ଥଳରୁ ବୋମା ଅବଶେଷ ଓ ନମୁନା ସଂଗ୍ରହ କରି ପୁରୀ ବୋମା ସ୍କ୍ୱାଡ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଆପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
