କୁଷ୍ଠରୋଗ ର ଚିହ୍ନଟ ସହ ନିରାକରଣ ଓ ନିୟନ୍ତ୍ରଣ ର ଅଭିଯାନ

ପୁରୀ ୧୭/୮/୨୦୨୬ : କୁଷ୍ଠରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ପୁରୀ ସହରରେ ଓ ଗୋପ ବ୍ଲକ ଏବଂ କଣାସ ବ୍ଲକ ରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ୧୭ ଅଗଷ୍ଟରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଅଭିଯାନରେ ୩୯୨ ଜଣ ଆଶାକର୍ମୀ ଓ ୭୩ ସୁପରଭାଇଜରଙ୍କର ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଅଭିଯାନ ନିମନ୍ତେ ଏକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଭିଯାନର ଉଦ୍ଦେଶ୍ୟ, ରଣନୀତି ଓ ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା ।ଏଥି ସହିତ ରାଜ୍ୟ ଅତିରିକ୍ତ କୁଷ୍ଠ ରୋଗ ନିର୍ଦେଶକ ଡାକ୍ତର ଲକ୍ଷ୍ମଣ କୁମାର କର୍ମୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ମାନସ ରଞ୍ଜନ ଦାଶ ଓ ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡାକ୍ତର ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତରେ କୁଷ୍ଠରୋଗ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯାନରେ ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଲିମପ୍ରାପ୍ତ ସୁପରଭାଇଜର ଦଳଗୁଡ଼ିକ ଘରକୁ ଘର ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ, ପ୍ରତ୍ୟକ ଘରେ ସ୍କ୍ରିନିଂ ଏବଂ କୁଷ୍ଠରୋଗୀଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା କରିବେ। ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବେ । କୁଷ୍ଠରୋଗକୁ ନେଇ ସମାଜରେ ଥିବା ଭୟ, ଲଜ୍ଜା ଓ ଭ୍ରାନ୍ତ ଧାରଣା ଦୂର କରିବା ସହିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଉଚିତ ଚିକିତ୍ସା ସହିତ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ।କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଯୋଗ୍ୟ। ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଅକ୍ଷମତାକୁ ରୋକାଯାଇପାରିବ। ପୁରୀ ସହରବାସୀ ତଥା ଗୋପ ଓ କଣାସ ବ୍ଲକ ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ନିଜ ପରିବାର ଓ ସମାଜରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *