ନବରଙ୍ଗପୁର ଠାରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ୨୮ଜଣ ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନନ
ବରଙ୍ଗପୁର ୨୧ /୪/ ୨୦୨୬:ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହର ସ୍ଥିତ ଡଲଫିନ ରିଶୋର୍ଟ ଠାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୮ ଜଣ ବର ବଧୂଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି । ଓଡିଆ ରୀତିନୀତି ଏବଂ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଅନୁଯାୟୀ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତ୍ତିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ଏବଂ ୪୫୦୦୦ ଟଙ୍କା ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ବିବାହ ଉତ୍ସବରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ,ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ

(ସାଧାରଣ )ତପନ କୁମାର ଖୁଣ୍ଟିଆ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ,ଜ୍ୟୋତି ରଞ୍ଜନ କଂସ ତଥା ସହର ବୁଦ୍ଧିଜୀବି,ନାରୀ ନେତ୍ରୀ,ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରି ବିବାହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ,ସାମାଜିକ ସୁରକ୍ଷା , ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ନିବାରଣ କରିବା ସହ ସମାଜକୁ ବାର୍ତା ଦେଉଛି ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ଭଗବାନଙ୍କ ଆଶୀର୍ବାଦ।ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି।

ସେଥିରୁ ୪୫୦୦୦ ଟଙ୍କା ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ୧୫୦୦୦ ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ଏବଂ ଉପହାର ପାଇଁ ଖର୍ଚ କରାଯାଇଥାଏ। ଯୋଗ୍ୟତା ଅନୁଯାୟୀ କନ୍ୟାର ବୟସ ୧୮-୩୫ ବର୍ଷ ଏବଂ ବରର ବୟସ ୨୧-୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଧବା ପୁନଃ ବିବାହ, ଅନୁସୂଚିତ ଜାତି , ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ପ୍ରାଥମିକତା ଦିଆଯାଇଥାଏ।ଆଜିର କାର୍ଯ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜୀକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ର କର୍ମଚାରୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ “ସୋଭା “ର ସହଯୋଗରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
