ବ୍ଲେସ୍ଡ ସାକ୍ରାମେଣ୍ଟ ହାଇସ୍କୁଲ୍ରେ ସାଇବର ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ*
ବ୍ଲେସ୍ଡ ସାକ୍ରାମେଣ୍ଟ ହାଇସ୍କୁଲ୍ରେ ସାଇବର ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ**‘ଡିଜିଟାଲ୍ ଆରେଷ୍ଟ’ ଓ ଅନଲାଇନ୍ ଠକେଇରୁ ସତର୍କ ରହିବାକୁ ପରାମର୍ଶ*ବର୍ତ୍ତମାନ ସମୟରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ସହିତ ସାଇବର ଅପରାଧ ଓ ଅନଲାଇନ୍ ଠକେଇର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି। ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଅଧିକ ସମୟ ବିତାଉଥିବାରୁ ସେମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ଆଜି ପୁରୀସ୍ଥିତ ବ୍ଲେସ୍ଡ ସାକ୍ରାମେଣ୍ଟ ହାଇସ୍କୁଲ୍ ପରିସରରେ ପୁରୀ ପୋଲିସ ପକ୍ଷରୁ ଏକ ସାଇବର ସେଫଟି, ଟ୍ରାଫିକ ଆୱାରନେସ, ରୋଡ ସେଫଟି ଏବଂ ଜ଼ିରୋ ଫଟାଲିଟି ଆୱାରନେସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିଥିଲେ। ସେ କହିଥିଲେ ଯେ ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ସହିତ ଅନଲାଇନ୍ରେ ନିଜର ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତାର ସୁରକ୍ଷା ପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ। ସାଇବର ଅପରାଧୀମାନେ ନିଜକୁ ପୋଲିସ, କ୍ରାଇମ୍ ବ୍ରାଞ୍ଚ, ସିବିଆଇ, ଇଡି କିମ୍ବା ଅନ୍ୟ କୌଣସି ସରକାରୀ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍ କିମ୍ବା ଭିଡିଓ କଲ୍ କରୁଛନ୍ତି। କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଥିବା କିମ୍ବା ତାଙ୍କ ନାମରେ ଅପରାଧିକ କାର୍ଯ୍ୟକଳାପ ହୋଇଥିବା କହି ଭୟଭୀତ କରାଯାଉଛି। ନକଲି ଆଇଡି କାର୍ଡ, ୟୁନିଫର୍ମ ଓ ଜାଲ୍ ଡକ୍ୟୁମେଣ୍ଟ ଦେଖାଇ ଭିଡିଓ କଲ୍ରେ ରହିବାକୁ ବାଧ୍ୟ କରାଯାଉଛି। ପରେ ମାମଲାରୁ ମୁକ୍ତି କିମ୍ବା ଯାଞ୍ଚ ଶେଷ କରିବା ନାମରେ ଟଙ୍କା ଦାବି କରାଯାଉଛି।ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କୌଣସି ସରକାରୀ ସଂସ୍ଥା ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ‘ଡିଜିଟାଲ୍ ଆରେଷ୍ଟ’ କରେ ନାହିଁ। ତେଣୁ ଏଭଳି କଲ୍ ଆସିଲେ ଭୟଭୀତ ନହୋଇ ତୁରନ୍ତ ଆଇନଗତ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ସେକ୍ସଟର୍ସନ୍ ଏକ ଗୁରୁତର ସାଇବର ଅପରାଧ। ଅପରାଧୀମାନେ ଭିଡିଓ କଲ୍, ଚାଟ୍ କିମ୍ବା ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରି ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ହାସଲ କରନ୍ତି। ପରେ ସେହି ଫଟୋ କିମ୍ବା ଭିଡିଓକୁ ସୋସିଆଲ୍ ମିଡିଆ କିମ୍ବା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ପ୍ରକାଶ କରିବାର ଧମକ ଦେଇ ଟଙ୍କା ଦାବି କରନ୍ତି। ଅନଲାଇନ୍ରେ ଅଶ୍ଳୀଳ ଭିଡିଓ ଦେଖିବା ସମ୍ପର୍କରେ ମାମଲା ହୋଇଥିବା କହି ମଧ୍ୟ ଅପରାଧୀମାନେ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଛନ୍ତି। ଏଭଳି ଘଟଣାର ଶିକାର ହେଲେ ଲଜ୍ଜା, ଭୟ କିମ୍ବା ସାମାଜିକ ଚାପରେ ଚୁପ୍ ନରହି ତୁରନ୍ତ ପୋଲିସର ସହାୟତା ନେବା ଆବଶ୍ୟକ। ପୀଡ଼ିତଙ୍କୁ ଦୋଷାରୋପ ନକରି ସେମାନଙ୍କୁ ଆଇନଗତ ସହାୟତା ଓ ସୁରକ୍ଷା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଅଜଣା ବ୍ୟକ୍ତିଙ୍କୁ OTP, PIN, ପାସୱାର୍ଡ, CVV କିମ୍ବା ବ୍ୟାଙ୍କ ସୂଚନା ଦିଅନ୍ତୁ ନାହିଁ। ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ ଏବଂ ସନ୍ଦେହଜନକ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ। ଅଜଣା ଭିଡିଓ କଲ୍ରେ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେୟାର କରନ୍ତୁ ନାହିଁ। ସୋସିଆଲ୍ ମିଡିଆ ଆକାଉଣ୍ଟରେ ଗୋପନୀୟତା (Privacy) ସେଟିଂ ଠିକ୍ ଭାବେ ବ୍ୟବହାର କରନ୍ତୁ। ଭୟଭୀତ ହୋଇ କିମ୍ବା କୌଣସି ଚାପରେ ତୁରନ୍ତ ଟଙ୍କା ପଠାନ୍ତୁ ନାହିଁ।

ଠକେଇର ଶିକାର ହେଲେ କଲ୍ ଡିଟେଲ୍, ଫୋନ୍ ନମ୍ବର, ଚାଟ୍, ସ୍କ୍ରିନ୍ସଟ୍ ଓ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ଭଳି ପ୍ରମାଣ ସୁରକ୍ଷିତ ରଖନ୍ତୁ। ସାଇବର ଠକେଇ ଘଟିଲେ ଯଥାଶୀଘ୍ର ୧୯୩୦ ସାଇବର କ୍ରାଇମ୍ ହେଲ୍ପଲାଇନ୍ରେ ଯୋଗାଯୋଗ କରନ୍ତୁ ଏବଂ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ।କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଟ୍ରାଫିକ୍ ନିୟମ ଓ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବା। ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଦାୟିତ୍ୱଶୀଳ ଚାଳକ ଓ ନାଗରିକ ଭାବେ ଟ୍ରାଫିକ୍ ନିୟମ ପାଳନ କରିବା ସହିତ ନିଜ ପରିବାର ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ସଡ଼କ ସୁରକ୍ଷା ପାଇଁ ସଚେତନ କରିବାକୁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଥିଲା। ହେଲମେଟ୍ ବ୍ୟବହାର, ସିଟ୍ବେଲ୍ଟ ପିନ୍ଧିବା, ନିର୍ଦ୍ଧାରିତ ଗତିସୀମା ମଧ୍ୟରେ ଯାନ ଚଳାଇବା, ମଦ୍ୟପାନ କରି ଗାଡ଼ି ନଚଳାଇବା, ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡ଼ି ନଚଳାଇବା ଏବଂ ପଥଚାରୀମାନଙ୍କ ପ୍ରତି ସମ୍ମାନ ଦେବା ଭଳି ସୁରକ୍ଷିତ ଆଚରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଡ଼କ ଦୁର୍ଘଟଣାରେ ଗୋଟିଏ ଜୀବନ ମଧ୍ୟ ଅମୂଲ୍ୟ। ତେଣୁ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁକୁ ସମ୍ଭବ ସବୁଠାରୁ କମ୍ କରିବା ପାଇଁ ‘ଜିରୋ ଫଟାଲିଟି’ ଲକ୍ଷ୍ୟରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଟ୍ରାଫିକ୍ ନିୟମ ପାଳନ କେବଳ ଜରିମାନାରୁ ବଞ୍ଚିବା ପାଇଁ ନୁହେଁ, ବରଂ ନିଜ ଓ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଏକ ଦାୟିତ୍ୱ ବୋଲି ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ, ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ, ସାଇବର ପୋଲିସ ଥାନା ଡିଏସ୍ପି ଶ୍ରୀ ରାଜକୁମାର ପରିଡ଼ା, ଏସି ହୋମଗାର୍ଡ ଶ୍ରୀ ବିଜୟ ରତନମମ, ସମୁଦ୍ରକୂଳ ଥାନା ଆଇଆଇସି ଶ୍ରୀ ମାନସ ଚକ୍ର ଏବଂ ସାଇବର ଥାନା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ। ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ସାଇବର ସୁରକ୍ଷା, ଅନଲାଇନ୍ ଠକେଇ, ଟ୍ରାଫିକ୍ ନିୟମ ଓ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।“ସଚେତନତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ।”ସାଇବର ଜଗତରେ ସଚେତନ ରୁହନ୍ତୁ, ଅଜଣା ବ୍ୟକ୍ତିଙ୍କ ସହ ଗୋପନୀୟ ତଥ୍ୟ ସେୟାର କରନ୍ତୁ ନାହିଁ। ସନ୍ଦେହଜନକ କଲ୍ କିମ୍ବା ଅନଲାଇନ୍ ଧମକରେ ଭୟଭୀତ ହୋଇ ଟଙ୍କା ପଠାନ୍ତୁ ନାହିଁ। ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଯୋଗାଯୋଗ କରନ୍ତୁ। ସେହିପରି, ଟ୍ରାଫିକ୍ ନିୟମ ପାଳନ କରନ୍ତୁ, ସୁରକ୍ଷିତ ଭାବେ ଯାନବାହନ ଚଳାନ୍ତୁ ଏବଂ ନିଜ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସୁରକ୍ଷିତ ରଖନ୍ତୁ।
