ସାମୁଦ୍ରିକ ସୁରକ୍ଷା ଓ କାର୍ଯ୍ୟକ୍ଷମ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା କୁ ପ୍ରଦର୍ଶନ
ପାରାଦୀପ, ୧୭ ନଭେମ୍ବର ୨୦୨୬: ସାମୁଦ୍ରିକ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ ବିପଦରେ ପଡ଼ିଥିବା ଜାହାଜ ‘ଏମଭି ବିଶ୍ୱ ଉଦୟ’ (MV Vishva Uday) ଏବଂ ସେଥିରେ ଥିବା ୨୭ ଜଣ କ୍ରୁ ସଦସ୍ୟଙ୍କର ସଫଳତାର ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ସମ୍ପାଦନ କରିଛନ୍ତି।ଭାରତୀୟ ନୌବାହନ ନିଗମ (SCI) ଲିମିଟେଡ୍ ପକ୍ଷରୁ ମିଳିଥିବା ଏକ ଜରୁରୀକାଳୀନ ସୂଚନା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। 19°47’N 087°22’E ଅକ୍ଷାଂଶ ଓ ଦ୍ରାଘିମା ମଧ୍ୟରେ ଥିବା ଏହି ଜାହାଜ ଭିତରକୁ ପାଣି ପଶିବା ସହ ଏହାର ପ୍ରୋପେଲର ଶାଫ୍ଟ ଅଚଳ ହୋଇଯାଇଥିବା ନେଇ ସୂଚନା ମିଳିଥିଲା।ବିପଦ ସୂଚନା ପାଇବା ମାତ୍ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଏହାର ସାମୁଦ୍ରିକ ସମ୍ବଳକୁ ନିୟୋଜିତ କରିଥିଲେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ (DGMA) ର ଅନୁମୋଦନ କ୍ରମେ, ବିପଦଗ୍ରସ୍ତ ଜାହାଜକୁ ସହାୟତା କରିବା ପାଇଁ PPA ର ଦୁଇଟି ଟଗ୍ ବୋଟ୍ ‘ଡଲଫିନ୍ ୨୫’ (Dolphin 25) ଏବଂ ‘ଡଲଫିନ୍ ୨୦’ (Dolphin 20) ୧୬ ନଭେମ୍ବର ୨୦୨୬ ମଧ୍ୟାହ୍ନ ୧୨:୩୦ ଘଟିକାରେ ଯାତ୍ରା ଆରମ୍ଭ କରିଥିଲେ।ହାର୍ବର ମାଷ୍ଟର କ୍ୟାପଟେନ ଇନ୍ଦ୍ରନୀଳ ମୁଖାର୍ଜୀଙ୍କ ନେତୃତ୍ୱରେ ଏହି ଉଦ୍ଧାର କାର୍ଯ୍ୟ ପରିଚାଳିତ ହୋଇଥିଲା, ଯେଉଁଥିରେ ‘ଡଲଫିନ୍ ୨୫’ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ‘ଡଲଫିନ୍ ୨୦’ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲା।

ସମନ୍ୱିତ ପ୍ରୟାସ ଏବଂ ବୃତ୍ତିଗତ ଦକ୍ଷତା ମାଧ୍ୟମରେ, ଏହି ଦଳ ସଫଳତାର ସହ ‘ଏମଭି ବିଶ୍ୱ ଉଦୟ’ କୁ ଟାଣି ସୁରକ୍ଷିତ ଭାବେ ଆଣିଥିଲେ ଏବଂ ୧୭ ନଭେମ୍ବର ୨୦୨୬ ସକାଳେ ବାହ୍ୟ ବନ୍ଦର ସୀମା ନିକଟରେ ଲଙ୍ଗର ପକାଇ ରଖିଥିଲେ।ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, ଆଇଆରଏସଇଇ (IRSEE) ଏହି ସଫଳ ଅଭିଯାନରେ ସାମିଲ ଥିବା ସାମୁଦ୍ରିକ ବିଭାଗ ଏବଂ ସମଗ୍ର ଦଳର ତ୍ୱରିତ ପଦକ୍ଷେପ, ବୃତ୍ତିଗତ ପ୍ରତିବଦ୍ଧତା ଓ ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ ସାମୁଦ୍ରିକ ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ଷମ ତତ୍ପରତାର ଉଚ୍ଚ ମାନଦଣ୍ଡ ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅଭିଯାନର ସଫଳ ସମାପ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସାମୁଦ୍ରିକ ବିଭାଗର ପ୍ରସ୍ତୁତି, ବୈଷୟିକ କ୍ଷମତା ଏବଂ କାର୍ଯ୍ୟକ୍ଷମ ଦକ୍ଷତାକୁ ପ୍ରତିଫଳିତ କରୁଛି। ସମଗ୍ର ସାମୁଦ୍ରିକ ଦଳର ଠିକ୍ ସମୟରେ ହସ୍ତକ୍ଷେପ ଏବଂ ସମନ୍ୱିତ ପ୍ରୟାସ ବିପଦଗ୍ରସ୍ତ ଜାହାଜ ଏବଂ ଏହାର ୨୭ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ସହାୟତା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସାମୁଦ୍ରିକ ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ସମୁଦ୍ରରେ ଜୀବନ ରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ବଜାୟ ରଖି ଭାରତର ପୂର୍ବ ଉପକୂଳରେ ଏକ ନିର୍ଭରଯୋଗ୍ୟ ସାମୁଦ୍ରିକ ପ୍ରବେଶଦ୍ୱାର ଭାବରେ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରୁଛନ୍ତି।
