କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଧାରଣା ।

କୋଣାର୍କ ,୧୭.୧୧- କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା, ସଂରକ୍ଷଣ ଏବଂ ଅନ୍ୟାନ୍ୟ ମୌଳିକ ଦାବି ନେଇ ତେଜିଛି ଆନ୍ଦୋଳନ। କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୀର୍ଘ ୩୦ ବର୍ଷ ଧରି ଏହି ଦାବି ନେଇ ସମିତି ପକ୍ଷରୁ ଲଢ଼େଇ ଜାରି ରହିଛି। ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପୁଣିଥରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର। ମନ୍ଦିରର ସଠିକ୍ ସଂରକ୍ଷଣରେ ଅବହେଳା ହେଉଥିବା ଅଭିଯୋଗ ଆଣି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଗଣଧାରଣା ଦିଆଯାଇଛି। ସଭାପତି ସୌମ୍ୟ ସୌରଭ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ସମ୍ପାଦକ ରାମକୃଷ୍ଣ ମହାନ୍ତି, ମିଡ଼ିଆ ସଂଯୋଜକ ପ୍ରତାପ କୁମାର କାଣ୍ଡିଙ୍କ ସମେତ ବହୁ ଯୁବଗୋଷ୍ଠୀ ଓ ସମାଜସେବୀ ସାମିଲ ହୋଇଥିଲେ।

ପ୍ରତି ଶନିବାର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ଏକ ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ସ୍ଥାନୀୟ ବ୍ୟବସାୟୀଙ୍କ ଥଇଥାନ ଆଦି ସ୍ଥାୟୀ ସମାଧାନ ପାଇଁ ସମିତି ପକ୍ଷରୁ ଦାବି କରାଯାଇଛି।ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଏଏସଆଇ ଡିଜି ଏବଂ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୋପ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଏଏସଆଇ ବିରୁଦ୍ଧରେ ଏହି ଗଣ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସୁରକ୍ଷା ସମିତି ଚେତାବନୀ ଦେଇଛି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ପ୍ରତି ବର୍ଷ ନଭେମ୍ବର ୧୭ ତାରିଖ ଦିନ ଧାରଣ ଦିଆଯିବ ବୋଲି ସମିତି ପକ୍ଷରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *