ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ସଂପର୍କିତ ଆଲୋଚନା
ଭୁବନେଶ୍ୱର, ୬.୦୯.୨୦୨୬ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ- ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ( ବିକେପିପିଇଆର) ପ୍ରକଳ୍ପ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଂପୃକ୍ତ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିକେପିପିଇଆର୍ ପ୍ରକଳ୍ପର ଗୁରୁତ୍ୱ ଦର୍ଶାଇ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିର ଏହା ଏକ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ୍’ ଭାବେ ଭିଜନ୍ ୨୦୩୬ ଓ ୨୦୪୭ର ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ବୋଲି ପ୍ରକାଶ କରିଥିଲେ । ଏକ ସମନ୍ୱିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣରେ ଅଞ୍ଚଳର ଭିତ୍ତିଭୂମି, ନିବେଶ, ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଦୃଢ ଆଶା ବ୍ୟକ୍ତ କରି ସେ ଏହାର କାର୍ଯ୍ୟାନ୍ୱୟନରେ ସମସ୍ତ ବିଭାଗର ସମନ୍ୱିତ ଓ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଏହି ପ୍ରକଳ୍ପର ବିଭିନ୍ନ ଅଗ୍ରଗତି ବିଷୟରେ ତଥ୍ୟ ରଖିବା ସହ ଏହାକୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବିକେପିପିଇଆର ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦକୁ ଉଲ୍ଲେଖନୀୟ ଯୋଗଦାନ କରିବ ବୋଲି ସେ ପ୍ରକାଶ କରିବା ସହ ଆଂଚଳିକ ନିରନ୍ତର ଆର୍ଥିକ ଓ ସମାବେଶୀ ବିକାଶ ପାଇଁ ଏହା ଏକ ବୈଶ୍ୱିକ ମଡେଲ ହେବାର ଲକ୍ଷ୍ୟ ରହିଥିବା ସେ ଉଲ୍ଲେଖ କରିଥିଲେ । ମଲ୍ଟିମୋଡାଲ୍ ପରିବହନ, ସୁଲଭ ଆବାସ, ଜଳବାୟୁ-ସହନଶୀଳ ଭିତ୍ତିଭୂମି ଓ ସହରୀ ପୁନରୁଦ୍ଧାର ଭଳି କ୍ଷେତ୍ରରେ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଏହି ଅଞ୍ଚଳକୁ ଏକ ସମାବେଶୀ, ସ୍ଥାୟୀ ଓ ବିଶ୍ୱସ୍ତରୀୟ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ। ଏହି ବିକେପିପିଇଆର ଯୋଜନାଟି ଭାରତ ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ ଯୋଜନା ଅଧୀନରେ ପ୍ରସ୍ତୁତ ଦେଶର ଚାରୋଟି ପ୍ରମୁଖ ପାଇଲଟ୍ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ । ଏହି ପ୍ରକଳ୍ପ ପାଇଁ ବିଭିନ୍ନ ବିଭାଗ ସହଯୋଗରେ ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ୧୯ଟି ବିଭାଗର ୨୬୯ଟି ପ୍ରକଳ୍ପ ସଂପର୍କରେ ସଚିବସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ଏହା ମାଧ୍ୟମରେ ଭୁବନେଶ୍ୱରର ଆଇଟି ଓ ପ୍ରଯୁକ୍ତିବିଦ୍ୟା, ପାରମ୍ପରିକ ବ୍ୟବସାୟ, ପର୍ଯ୍ୟଟନ ଓ ସଂସ୍କୃତି ଏବଂ ବନ୍ଦର-ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ସ ସାମର୍ଥ୍ୟକୁ ଏକତ୍ରିତ କରି ଅଞ୍ଚଳର ଆର୍ଥିକ ବିକାଶକୁ ଆଗକୁ ନିଆଯିବ । ବୈଠକରେ ବିକେପିପିଇଆର ଅଧୀନରେ ଚିହ୍ନଟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ପି-ଏମ୍ ଗତି ଶକ୍ତି ପୋର୍ଟାଲରେ ପ୍ରକଳ୍ପ ମ୍ୟାପିଂ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର-ଏହି ୪ଟି ଜିଲ୍ଲା ଏବଂ ଏହା ଅନ୍ତର୍ଭୁକ୍ତ ୧୯ଟି ସହରାଂଚଳକୁ ନେଇ ଗଠିତ ଏହି ଅର୍ଥନୈତିକ ଅଞ୍ଚଳକୁ ଏକ ସମାବେଶୀ, ବାସଯୋଗ୍ୟ ଓ ସ୍ଥାୟୀ ଅର୍ଥନୈତିକ ଅଞ୍ଚଳ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ଯୋଗେ ୪୦ ଲକ୍ଷରୁ ଅଧିକ ଅଣ-କୃଷି ନିଯୁକ୍ତି ଏବଂ ୪୦୦ ବିଲିୟନ୍ ଡଲାରରୁ ଅଧିକ କର୍ପୋରେଟ୍ ନିବେଶର ଲକ୍ଷ୍ୟ ରଖାଯାଇଛି । ଏହି ମେଗା ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ସଂପର୍କିତ ଆଲୋଚନା କରାଯାଇଥିଲା । ଓଡ଼ିଶା ପାଇଁ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ଅର୍ଥ ଯୋଗାଣ ସହଯୋଗୀ ଭାବେ ପ୍ରସ୍ତାବରେ ରହିଛି । ପ୍ରକାଶ ଥାଉକି, ଏହି ପଦକ୍ଷେପକୁ ଏକ ସୁଦୃଢ଼ ଆନୁଷ୍ଠାନିକ ଢାଞ୍ଚା ଦେବା ପାଇଁ କ୍ୟାପିଟାଲ ଇକୋନୋମିକ୍ ରିଜିଅନ୍ ଡେଭେଲପମେଣ୍ଟ ଅଥରିଟିକୁ ନିକଟରେ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହି କର୍ତ୍ତୃପକ୍ଷ ବିକେପିପିଆର ଅଞ୍ଚଳରେ ଯୋଜନା ପ୍ରସ୍ତୁତି, ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ଅର୍ଥ ବ୍ୟବସ୍ଥା ଓ ନିବେଶ ସଂଗ୍ରହ ଭଳି କାର୍ଯ୍ୟରେ ଏକୀକୃତ ଆଞ୍ଚଳିକ ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରିବ ।
