ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିପାରେ ମୃତ୍ୟୁ ଗୁମର
‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣା । ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁକୁ ଚାରି ଦିନ ବିତି ଯାଇଥିବା ବେଳେ ଆଜି ଆସିଛି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ଅକ୍ଷୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ ଆଜେକ୍ସଙ୍କ ବେକରେ ଦଉଡିର ଦାଗ ରହିଛି । ପୋଲିସକୁ ସିଡିଆର ରିପୋର୍ଟ ହସ୍ତଗତ କରାଯାଇଛି । ସେପଟେ, ଏ-ନେଇ ପୋଲିସ୍ ଅଧିକ ଛାନଭିନ୍ ଜାରି ରଖିଛି ।
ତେବେ,‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁରେ ତାଙ୍କ ପ୍ରେମିକା ଓ ସାଙ୍ଗଙ୍କ ହାତ ଥିବା କୁହାଯାଇଛି। ଏହି ଘଟଣାରେ ‘ଡିଜେ ଆଜେକ୍ସ’ଙ୍କ ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ପୋଲିସ । ଏ-ନେଇ ଆଜି ‘ଡିଜେ ଆଜେକ୍ସ’ ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବା ନେଇ ସୂଚନା ରହିଛି । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା ମଧ୍ୟ କରିବ ପୋଲିସ୍। ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିବା ଅନସିନ ଭିଡିଓକୁ ନେଇ ପଚାର ଉଚରା କରିବ ପୋଲିସ। ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’। ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ୍ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ । ଯେଉଁ ଭିଡିଓ ପାଇଁ ପ୍ରେମିକା ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୋଲିସ। ଗତକାଲି(ସୋମବାର) ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୋଲିସ ।
