ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢ଼ାଯିବ, ଭାରତକୁ ପ୍ରସ୍ତୁତ ରହିବାକୁ ହେବ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧।୩ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମହାକାଶରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ ହୋଇଛି। ଭବିଷ୍ୟତରେ ସ୍ଥଳ, ସମୁଦ୍ର, ବାୟୁ ତଥା ସାଇବର ଏବଂ ମହାକାଶରେ ଯୁଦ୍ଧ ହେବ। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ପାଇଁ ଭାରତକୁ ମହାକାଶରେ ଉଭୟ ପ୍ରତିରକ୍ଷା ଏବଂ ଆକ୍ରମଣାତ୍ମକ ଶକ୍ତି ବୃଦ୍ଧି କରିବାକୁ ପଡିବ। ଆମେ ସ୍ପେସ ସେକ୍ଟରରେ ପାଇଥିବା ପ୍ରାରମ୍ଭିକ ସଫଳତାର ଲାଭ ଉଠାଇବା ଏବଂ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ। ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାୟୁସେନା ମୁଖ୍ୟ ଏହା କହିଛନ୍ତି।

ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ କହିଥିଲେ ଯେ ଭବିଷ୍ୟତରେ କେବଳ ମହାକାଶର ଶକ୍ତି ବିଜେତା ସ୍ଥିର କରିବ। ଗତ ଶତାବ୍ଦୀରେ ମହାକାଶ କ୍ଷେତ୍ରରେ ଅନେକ ଗବେଷଣା ହୋଇଛି ଏବଂ ଆଜି ହେଉଛି ସେହି ସମୟ ଯେତେବେଳେ ଆଧୁନିକ ସମାଜ ମହାକାଶ ଆଧାରିତ ପ୍ରଯୁକ୍ତିବିଦ୍ୟା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଆମେ ଆମର ଦୈନନ୍ଦିନ ଜୀବନରେ ପ୍ରତିଦିନ ଉପଗ୍ରହ ଆଧାରିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁ । ଯେଉଁଥିରେ ଜିପିଏସ, ଟିଭି ପ୍ରସାରଣ, ମୋବାଇଲ ଫୋନ ବ୍ୟବହାର ଅନ୍ତର୍ଭୁକ୍ତ। ଜିପିଏସ, ହାଇ ସ୍ପିଡ ଯୋଗାଯୋଗ ଏବଂ ଗୁପ୍ତଚର ପାଇଁ ସ୍ପେସ ଟେକ୍ନୋଲୋଜିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ସାମରିକ ଉପକରଣ ହୋଇପାରିଛି। ଏହି କାରଣରୁ ସୁରକ୍ଷା ବାହିନୀ ପାଇଁ ଉପଗ୍ରହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି।

ମହାକାଶ ପ୍ରଯୁକ୍ତିବିଦ୍ୟାରେ ଆମେରିକା, ରୁଷିଆ ଏବଂ ଚାଇନ ଅଗ୍ରଣୀ ହୋଇଛନ୍ତି। କିନ୍ତୁ ଫ୍ରାନ୍ସ, ଇସ୍ରାଏଲ, ଭାରତ ଏବଂ ବ୍ରିଟେନ ମଧ୍ୟ ଏହି ମାର୍ଗରେ ଆଗେଇ ଆସୁଛନ୍ତି। ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବ ଏବଂ ଦେଶମାନେ ପରସ୍ପରର ଉପଗ୍ରହକୁ ଟାର୍ଗେଟ କରିବେ। ମହାକାଶରେ ଉପଗ୍ରହ ନଷ୍ଟ କରିବାର ଅନେକ ଦେଶର ଶକ୍ତି ଅଛି । ସମ୍ପ୍ରତି ୟୁକ୍ରେନ ଯୁଦ୍ଧରେ ମଧ୍ୟ ରୁଷିଆ ୟୁକ୍ରେନର ଜିପିଏସ ସିଗନାଲକୁ ବାଧା ଦେଇଥିଲା।

Leave a Reply

Your email address will not be published. Required fields are marked *