ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ

ଚଳିତବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ କଡ଼ା ବ୍ୟବସ୍ଥା କରାଯାଇଛି।ରଥଯାତ୍ରା ପାଇଁ ୬ ଟି ନୂଆ ପାର୍କିଂ ସ୍ଥାନକୁ ମିଶାଇ ମୋଟ ୩୦ଟି ପାର୍କିଂ ସ୍ଥାନ କରାଯାଇଛି। ସେଥି ମଧ୍ୟରୁ ୩ ଟି ସ୍ଥାନରେ ଡ୍ରୋନ୍ ଦ୍ବାରା ଟ୍ରାଫିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ।ଏଥିସହ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ଓ ଟ୍ରାଫିକ ପକ୍ଷରୁ ସ୍ଵତନ୍ତ୍ର ଆପ ,ଟ୍ରାଫିକ କଣ୍ଟ୍ରୋଲ ରୁମ୍ ,ସିସିଟିଭି କ୍ୟାମେରା ,ଚାଟ ବୋଟ, ବ୍ୟବସ୍ଥା କରାଯାଇଅଛି।ସହରର ବିଭିନ୍ନ ସ୍ଥାନରେ ୧୦୫୦ ସାଇନେଜ୍‌, ୭୩ ଟ୍ରାଫିକ ସହାୟତା କେନ୍ଦ୍ର, ୨ ଏଲଇଡି ମୋବାଇଲ୍ ଭ୍ୟାନ୍ ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଯାତାୟାତ ଜନିତ ସମସ୍ୟା ମୁକ୍ତ କରିବା ପାଇଁ ରାଜ୍ୟ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା

କରାଯାଇଛି। ଏଥର ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବସ୍ ଯାତାୟାତକୁ ସୁଚାରୁ କରିବା ପାଇଁ ୪ଟି ସ୍ୱତନ୍ତ୍ର ବସ୍ ପାର୍କିଂ ଜୋନ୍ ବ୍ୟବସ୍ଥା କରାଯାଇଛି।ବର୍ଷା ଋତୁକୁ ଦୃଷ୍ଟିରେ ରଖି ପାର୍କିଂ ସ୍ଥାନଗୁଡ଼ିକରେ ଜଳ ଜମିବା ସମସ୍ୟା ଦୂର କରିବା ପାଇଁ ଡି-ୱାଟରିଂ ପମ୍ପ ଲଗାଯାଇଛି। ଭକ୍ତମାନଙ୍କୁ ରିଅଲ୍ ଟାଇମ୍ ସୂଚନା ଯୋଗାଇବା ପାଇଁ ଏଆଇ ଆଧାରିତ ଚାଟବଟ୍, ଟ୍ରାଫିକ ମୋବାଇଲ୍ ଆପ୍ ଏବଂ ବଲ୍କ ଏସଏମଏସ୍ ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଟ୍ରାଫିକ ଡାଇଭର୍ସନ୍, ପାର୍କିଂ ବ୍ୟବସ୍ଥା, ବିକଳ୍ପ ରାସ୍ତା ଓ ଜରୁରୀ ସୂଚନା ତୁରନ୍ତ ମିଳିପାରିବ।ପୁରୀରେ ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ। ସହରକୁ ପ୍ରବେଶ କରୁଥିବା ଯାନବାହନର ଗତିବିଧି ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ସତତ ନଜର ରଖାଯିବ। ଯେକୌଣସି ସ୍ଥାନରେ ଟ୍ରାଫିକ ଜାମ୍ ସୃଷ୍ଟି ହେଲେ ତୁରନ୍ତ ପଦକ୍ଷେପ ନିଆଯିବ।ସେହିପରି ଭକ୍ତମାନଙ୍କ ସହାୟତା ପାଇଁ ୭୩ଟି ଟ୍ରାଫିକ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ଡ୍ରୋନ୍‌ରୁ ମିଳୁଥିବା ଲାଇଭ୍ ଫିଡ୍ ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ପଠାଯିବ, ଯାହା ଆଧାରରେ ଆବଶ୍ୟକ ସ୍ଥାନରେ ତୁରନ୍ତ ଟ୍ରାଫିକ ନିୟନ୍ତ୍ରଣ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *