ସୂଚନା ପ୍ରଦାନରେ ଅବହେଳା

ସୂଚନା ପ୍ରଦାନରେ ଅବହେଳା ଓ କାରଣଦର୍ଶାଅ ନୋଟିସ ଉତ୍ତର ନ ଦେଇ ଜନସୂଚନା ଅଧିକାରୀ ୨୫ହଜାର ଜୋରିମାନା ଦଣ୍ଡାଦେଶ ଶୁଣାଇଲେ ସୂଚନା କମିଶନ।କୋଣାର୍କ ୧୬.୦୭.୨୦୨୩ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ବରିଷ୍ଠ ସୂଚନା ଅଧିକାରୀ କର୍ମୀ ଭାଗୀରଥୀ ସ୍ଵାଇଁ ସୂଚନା ଅଧିକାର ଆଇନ – ୨୦୦୫ ଫର୍ମ ୬କ ରେ ମାଗିଥିବା ସୂଚନା ପ୍ରଦାନ କରିବାରେ ଅବହେଳା ଓ ଓଡିଶା ସୂଚନା କମିଶନଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ନ ପାରିବାରୁ ନିମାପଡା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଫିସର ଜନସୂଚନା ଅଧିକାରୀ ରଶ୍ମି ବେହେରାଙ୍କୁ ମାନ୍ୟବର ସୂଚନା କମିଶନ ୨୫ହଜାର ଟଙ୍କାର ଜୋରିମାନା କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ବରିଷ୍ଠ ସୂଚନା କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଗତ ୨୫:୦୮:୨୩ ରିଖରେ ସୂଚନା ଅଧିକାର ଆଇନ – ୨୦୦୫ ଅନୁଯାୟୀ ଫର୍ମ ୬-କ ରେ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଫିସ ଅଧିନସ୍ଥ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ସେସ୍କନ, ଗୋପ ଗ୍ରାମ୍ଯ ନିର୍ମାଣ କନିଷ୍ଠ ଯନ୍ତ୍ରୀ ସେସ୍କନ ଏବଂ କୋଣାର୍କ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ସେସ୍କନରେ ଗତ ୨୦୦୮ ମସିହା ଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସଂପାଦିତ କେ – ୨,ଏଫ-୨ କାମ ବିଷୟରେ ତଥ୍ୟ ମାଗିଥିଲେ। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ମାଗିଥିବା ସୂଚନା ନ ମିଳିବା ଯୋଗୁଁ ବରିଷ୍ଠ ସୂଚନା କର୍ମୀ ଭାଗୀରଥୀ ସ୍ଵାଇଁ ଗତ ୧୧-୧୦-୨୨ ରିଖରେ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଫିସର ଅଧିକ୍ଷଣ ଯନ୍ତ୍ରୀ ତଥା ପ୍ରଥମ ଅପିଲ କର୍ତୃପକ୍ଷ ଇଂ ସତ୍ଯଜିତ ଦଳାଇଙ୍କ କୋର୍ଟରେ ପ୍ରଥମ ଅପିଲ କରିଥିଲେ। ମାତ୍ର ସୂଚନା କର୍ମୀ ଶ୍ରୀ ସ୍ୱାଇଁଙ୍କୁ କୌଣସି ସୂଚନା ଓ ଏଦିଗରେ ପ୍ରଥମ ଅପିଲ କର୍ତୃପକ୍ଷ କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଗତ ୩୦-୧୨-୨୨ରିଖରେ ବରିଷ୍ଠ ସୂଚନା କର୍ମୀ ଭାଗୀରଥୀ ସ୍ଵାଇଁ ମାନ୍ୟବର ଓଡିଶା ସୂଚନା କମିଶନଙ୍କ କୋର୍ଟରେ ଫର୍ମ – ଘ ରେ ଦ୍ବିତୀୟ ଅପିଲ ନିମନ୍ତେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ସୂଚନା କମିଶନଙ୍କ କେଶ ନଂ – ୧୫/୨୩ ଅଭିଯୋଗକୁ ବିଚାର କରି ମାନ୍ୟବର ସୂଚନା କମିଶନର ବିକ୍ରମ ସେନାପତି ଗତ ଏପ୍ରିଲ ୧୦ ତାରିଖ ଦିନ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରି ଶୁଣାଣି ସମୟରେ ଉପସ୍ଥିତ ରହିବା ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ଶୁଣାଣି ସମୟରେ ସୂଚନା କର୍ମୀ ଭାଗୀରଥୀ ସ୍ଵାଇଁ ଉପସ୍ଥିତ ରହି ପକ୍ଷ ରଖିଥିବା ବେଳେ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଫିସର ଜନ ସୂଚନା ଅଧିକାରୀ ରଶ୍ମି ବେହେରା ଓ ପ୍ରଥମ ଅପିଲ କତୃପକ୍ଷ ଅନୁପସ୍ଥିତି ରହିଥିଲେ। ଏହି କାରଣରୁ ମାନ୍ୟବର ସୂଚନା କମିଶନର ଶ୍ରୀଯୁକ୍ତ ସେନାପତି ଜନ ସୂଚନା ଅଧିକାରୀ ରଶ୍ମି ବେହେରାଙ୍କୁ ଆପଣଙ୍କ ବିରୋଧରେ କାହିଁକି ଜୋରିମାନା ଆଦାୟ କରା ନ ଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହି କେଶର ଦ୍ବିତୀୟ ଶୁଣାଣି ସମୟରେ ଜନ ସୂଚନା ଅଧିକାରୀ ରଶ୍ମି ବେହେରା କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ତ ଦୂରର କଥା ମାତ୍ର ଶୁଣାଣି ସମୟରେ ଅନୁପସ୍ଥିତି ରହିଥିଲେ। ଗତ ଜୁନ ୧୯, ୨୦୨୩ରେ ହୋଇଥିବା ଶୁଣାଣି ଅନୁଯାୟୀ ଓଡିଶା ସୂଚନା କମିଶନଙ୍କ ସୂଚନା କମିଶନର ଶ୍ରୀଯୁକ୍ତ ବିକ୍ରମ ସେନାପତି ସୂଚନା କମିଶନଙ୍କ ପତ୍ରସଂଖ୍ୟା – ୩୮୫୧୮,ଚା – ୧୦-୦୭-୨୩ ଅନୁଯାୟୀ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଫିସର ଜନ ସୂଚନା ଅଧିକାରୀ ରଶ୍ମି ବେହେରାଙ୍କୁ ୨୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଆସନ୍ତା ୩୦ଦିନ ମଧ୍ୟରେ ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା କର୍ମୀ ଭାଗୀରଥୀ ସ୍ଵାଇଁ ମାଗିଥିବା ସୂଚନା ୧୫ ଦିନ ମଧ୍ୟରେ ରେଜିଷ୍ଟ୍ରେସନ୍ ଡାକଯୋଗେ ପ୍ରଦାନ କରିବା ପାଇଁ ଜନ ସୂଚନା ଅଧିକାରୀ ରଶ୍ମି ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ଓଡିଶା ସୂଚନା କମିଶନଙ୍କ ଏଭଳି ଐତିହାସିକ ରାୟକୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସୂଚନା କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ନାଗରିକ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *