ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଢେଙ୍କାନାଳ ସହରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଢେଙ୍କାନାଳ ସହରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ
ଢେଙ୍କାନାଳ, ୨୪/୧୦:
ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ସହରରେ ଆଇନଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷାବୋଧ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଢେଙ୍କାନାଳ ପୁଲିସ ପକ୍ଷରୁ ଏକ ଫ୍ଲାଗ୍‌ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା।
ଏସ୍‌ପି ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେଙ୍କ ନେତୃତ୍ୱରେ ଆୟୋଜିତ ଏହି ଫ୍ଲାଗ୍‌ମାର୍ଚ୍ଚରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ପୂଜା ପାଇଁ ନିୟୋଜିତ ପୁଲିସ ବଳ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚ ବାଜିଚୌକ ଦେଇ ଏସ୍‌ପି କାର୍ଯ୍ୟାଳୟ ମୁଖ୍ୟାଳୟରେ ଶେଷ ହୋଇଥିଲା।
ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଶ୍ରୀ ମାନେ କହିଥିଲେ ଯେ ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳର ସମସ୍ତଙ୍କର ପର୍ବ। ଏହାକୁ ସଫଳ ଓ ଶୃଙ୍ଖଳିତ କରିବାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଛି। ତେଣୁ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସକୁ ସହଯୋଗ କରିବା ସହ ପୂଜାକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ନିମନ୍ତେ ସେ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ।
ପୂଜା ସମୟରେ ମୋଟ ୨୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ୧୮ଟି ଆଉଟ୍‌ପୋଷ୍ଟ ସ୍ଥାପନ କରାଯାଇଛି।
ସହରରେ ଚୋରି, ନିଶାଦ୍ରବ୍ୟ କାରବାର ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି।
ପ୍ରମୁଖ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ନଜର ରଖାଯିବ।
ପ୍ରତ୍ୟେକ ପୂଜା ମଣ୍ଡପରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ। ରୁପା ଅଳଙ୍କାରରେ ସଜ୍ଜିତ ମେଢ଼ଗୁଡ଼ିକର ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ମୁତୟନର ବ୍ୟବସ୍ଥା ହୋଇଛି।
ପୂଜା ସମୟରେ ଭିଡ଼ର ସୁଯୋଗ ନେଇ ସୁନାଚେନ୍ ଲୁଟ୍ ଭଳି ଘଟଣା ରୋକିବା ପାଇଁ ସାଧା ପୋଷାକରେ ସ୍ୱତନ୍ତ୍ର ପୁଲିସ ଟିମ୍ ମୁତୟନ ରହିବେ।
ପୂଜା ସମୟରେ ସହରକୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନ ଚଳାଚଳ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଉପରେ ପୁଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ଦିଗରେ ଢେଙ୍କାନାଳ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *