ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ବର ମନ୍ଦିରରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟ

ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ବର ମନ୍ଦିରରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟ, ରାମଚଣ୍ଡୀ ଥାନାରେ ଅଭିଯୋଗ, ରାମଚଣ୍ଡୀ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କୋଣାର୍କ – ଶୁକ୍ରବାର ବିଳମ୍ବିତ ରାତିରେ ଗୋପ ବ୍ଲକ ଅଧିନସ୍ଥ ତରକୋର ଗ୍ରାମ ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ବର ମନ୍ଦିରରୁ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ରାମଚଣ୍ଡୀ ଥାନା ଅଧିନସ୍ଥ ତରକୋର ଗ୍ରାମ ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ବାଲିକପିଳେଶ୍ବର ମନ୍ଦିର। ଭାଙ୍ଗି ଯାଇଥିବା ହାଡ ବାବା ବାଲିକପିଳେଶ୍ବର ଙ୍କ କୃପା ଓ ଅପାର ମହିମାରୁ ଆରୋଗ୍ୟ ଲାଭ ହୋଇଥାଏ। ଶୁକ୍ରବାର ବାବା ବାଲିକପିଳେଶ୍ବର ମନ୍ଦିରରେ ଦେବନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ ହେବା ପରେ ମନ୍ଦିର ପୂଜକ ମନ୍ଦିର ପହୁଡ ପକାଇ ସ୍ବଗୃହକୁ ଫେରି ଯାଇଥିଲେ ।ଶୁକ୍ରବାର ବିଳମ୍ବିତ ରାତିରେ ଦୂର୍ବୃତମାନେ ବାବା ବାଲିକପିଳେଶ୍ବର ମନ୍ଦିରରେ ପଶି ମା ପାର୍ବତୀଙ୍କ ସୁନା ହାର, କଙ୍କଣ, କୀରିଟି ସମେତ ବାବା ବାଲିକପିଳେଶ୍ବର ଙ୍କ ମୂଲ୍ଯବାନ ସୁନା ଓ ରୂପାର ଅଳଙ୍କାର ଚୋରି କରି ନେଇଥିବା ବେଳେ ବାବାଙ୍କ ହୁଣ୍ଡିରୁ ପ୍ରାୟ ୨ଲକ୍ଷ ଟଙ୍କା ଦୃବର୍ତ୍ତମାନେ ଲୁଟି କରିଥିବାଶନିବାର ସକାଳ ସମୟରେ ମନ୍ଦିର ପୂଜକ ଭାସ୍କର ମହାପାତ୍ର ଓ ମାନସ ପଣ୍ଡା ପହୁଡ ଖୋଲିବା ପରେ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ପୂଜକ ମାନେ ବାଲିକପିଳେଶ୍ବର ଉନ୍ନୟନ କମିଟି ଅବଗତ କରାଇବା ପରେ ରାମଚଣ୍ଡୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଗୁରୁତ୍ବାରୋପ କରି ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସମ୍ପର୍କରେ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ପୁରୀ ସ୍ଥିତ ସାଇଣ୍ଟିଫିକ ଟିମକୁ ଜଣାଇବା ପରେ ବାବା ବାଲିକପିଳେଶ୍ବର ପୀଠରେ ପହଞ୍ଚି ସାଇଣ୍ଟିଫିକ ଟିମ ଘଟଣାର ଛାନଭିନ ଆରମ୍ଭ କରିଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉ କି ଗତ ୨୦ ଦିନ ତଳେ କୋଣାର୍କ ଥାନା ଅଧିନସ୍ଥ କରମଙ୍ଗା ଗ୍ରାମ ସ୍ଥିତ ଶ୍ରୀରାମ ମନ୍ଦିରରୁ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ଲୁଟ ଘଟଣାର ପୋଲିସ ସୁରାକ ପାଇ ନ ଥିବା ବେଳେ ଗତ ଦୁଇ ମାସ ତଳେ କୁରୁଜଙ୍ଗ ଗ୍ରାମପଞ୍ଚାୟତର କୁରୁଜଙ୍ଗ ଗ୍ରାମର ରାଧା କୃଷ୍ଣ ମନ୍ଦିର ଓ ବାବା ବଟେଶ୍ଵର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ କୋଣାର୍କ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। କୋଣାର୍କ ଓ ରାମଚଣ୍ଡୀ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଓ ରାତ୍ରି କାଳୀନ ପୋଲିସ ପ୍ରେଟୋଲିଂଗ ନ ଥିବାରୁ କୋଣାର୍କ ଓ ରାମଚଣ୍ଡୀ ଅଂଚଳରେ ଘନ ଘନ ଚୋରି ବଢିବାରେ ଲାଗିଛି। କୋଣାର୍କ ଓ ରାମଚଣ୍ଡୀ ଥାନା ପୋଲିସର ନିଷ୍କ୍ରିୟତା କୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କ ପକ୍ଷରୁ ନାପସନ୍ଦ କରାଯାଇଛି। କୋଣାର୍କ ଥାନା ଓ ରାମଚଣ୍ଡୀ ଥାନା ଅଂଚଳରେ ମନ୍ଦିରରୁ ଘନ ଘନ ଚୋରି ଉପରେ ରୋକ ଲଗାଇବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୁରୀ ଏସପି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *