ତୁମେ ଗଲା ପରେ

ତୁମେ ଗଲା ପରେ
(କବି କେଶବ ଚନ୍ଦ୍ର ନାୟକ)
……………………………….
ତୁମେ ଗଲା ପରେ ଫେରିବ କି ବନ୍ଧୁ
ପୁଣି ଦେଖା ହେବ ଦିନେ….
ଆସିବ ଆସିବ କହି ଚାଲି ଅଛ
ଏ ଗୂଢ ରହସ୍ୟ ଜାଣେ…..!!
ସରକାରୀ କଳେ କରିଣ ଚାକିରି
ଆସି ଥିଲ ଆମ ସ୍ଥାନେ…..
ସକ୍ଷାତ ହୋଇଲା ସମ୍ପର୍କ ଗଢିଲା
ଭୁଲି ନ ହୋଇବ ଦିନେ…..!!
ପୁଣି ଚାଲିଗଲ ହୋଇ ସ୍ଥାନାନ୍ତର
ନମିଳେ ସାକ୍ଷାତ ଥରେ…..
ବହୁ ଦୂରେ ତୁମେ ରହିଛ କେଉଁଠି
ଖୋଜେ ମନ ବାରେ ବାରେ…..!!
ମୋବାଇଲ ସହ କଥା ବାର୍ତ୍ତା ଚାଲେ
କିଛି ସ୍ମୃତି ଅତୀତର…..
ହେଲେ ଏହି ସ୍ମୃତି ଲିଭି ଯିବ ଦିନେ
ହୋଇବ ସମ୍ପର୍କ ଦୂର….!!
ଏମିତି ଜୀବନେ ଆସି ଗଲେ ଚାଲି
ଆଉ ପଡୁ ନାହିଁ ସ୍ମୃତି…..
ଭୁଲି ନାମ ଗ୍ରାମ ସେ ରୂପ ଲାବଣ୍ୟ
ହଜିଲାଣି ଯେତେ ସ୍ଥିତି…. !!
ଏ ସମ୍ପର୍କ ମାତ୍ର ଅଢେଇ ଦିନିଆ
ସୁଖ ଦୁଃଖ କ୍ଷଣ ସ୍ଥାୟୀ….
ତୁମେ ଭୁଲି ଯିବ ଧୀରେ ଧୀରେ ବନ୍ଧୁ
ସଂସାର ଜଞ୍ଜାଳେ ପଡି….
କିଏ ସାଙ୍ଗ ସାଥି ସ୍ବାର୍ଥ ଦୁନିଆରେ
ହେବ ନି ସମ୍ପର୍କ ଯୋଡି…. !!
ତୁମେ ଆସିବ ନି ପୁନଶ୍ଚ ଏଠିକି
ମୋତେ ଡାକିବ ନି ଥରେ…..
ଯୋଉଠି ଆଦର ସେହି ଠାରେ ସ୍ଥିର
ଫାଟ ହେବ ସମ୍ପର୍କରେ……!!
କେତେ କରୁ ଥିଲେ ସାହିତ୍ୟ ଆସର
ଓଡ଼ିଆ ଭାଷା ସମୃଦ୍ଧି…..
ତୁମ ଭାଷଣରେ ରହିଥିଲା ଯାଦୁ
ପାଣ୍ଡିତ୍ୟ ର ନାନା ସିଦ୍ଧି….!!
ଉପାନ୍ତ ଏ ଜିଲ୍ଲା ନାମ ମାଲ୍ୟବନ୍ତ
ଓଡ଼ିଆ ଭାଷା ବିପନ୍ନ…..
କରି ସଂଗଠନ ଧରି ଦୃଢେ ମଙ୍ଗ
ପାଇଲି କି ସନମାନ……!!
କିଏ ସେ ପଚାରେ ମାଲକାନଗିରି କଥା
ଓଡ଼ିଆ ଭାଷା ସମୃଦ୍ଧି…..
ସାହିତ୍ୟ ସଂସ୍କୃତି ଭାଷାର ପ୍ରଚାର
ଅରଣ୍ୟେ ହୋଇଛି ବନ୍ଦୀ…..!!
ଏବେ ବୟସର ଅପରାହ୍ନେ ବନ୍ଧୁ
ବିଦାୟ ନିଶ୍ଚୟ ହେବ…..
ରୋଗରେ ପୀଡିତ ହୋଇ ମୁଁ ଲେଖୁଛି
ମାର୍ମିକ ଅନ୍ତର ଭାବ…..!!
ତୁମେ ଗଲା ପରେ ସାହିତ୍ୟ ଆସର
ପଡ଼ିଛି ଶୀତଳ ହୋଇ…..
ଉତ୍ସାହ ଦେବାକୁ ଲୋକ କିଏ ନାହିଁ
ରହିଛନ୍ତି ସୁପ୍ତ ହୋଇ….!!
ଆସ ଆସ ଭାଇ ଛୁଟି ଦିବସରେ
କରିବା ସାହିତ୍ୟ ଚର୍ଚ୍ଚା…..
ମାତୃଭାଷା ପ୍ରୀତି ନାହିଁ କା’ ଅନ୍ତରେ
ମଳିନ ପଡ଼ିଛି ଇଛା…..!!
ବ୍ୟକ୍ତି ସ୍ୱାର୍ଥ ପାଇଁ ସଭିଏଁ ଆଗ୍ରହ
ଭାଷାର ସୁରକ୍ଷା ପାଇଁ…..
କାହା ମନେ ଭାବ ନ ହୁଏ ଉଦ୍ରେକ
ଧନ୍ଯରେ ଓଡ଼ିଆ ଭାଇ……!!
ସାହିତ୍ୟ ଚର୍ଚ୍ଚାରୁ ନମିଳେ ଫାଇଦା
ସମୟଟା ବରବାଦ…..
ଏ କଥା ବିଚାରି ସାହିତ୍ୟ ଆସରେ
ନ ଦିଅନ୍ତି ବେନି ପାଦ…..!!
ଜାଣି ଥିଲେ କୁହ ନ ତୁବା ଦର୍ଶକ
ସାଜି ନିରବରେ ବସ…..
ଏତିକି କରିଲେ ମିଳେ ଦୃଢ଼ ବଳ
ବଢିବ ତେଳେ ସାହସ…..!!
ଡାକି ଡାକି କଣ୍ଠ ଶୁଖିଲାଣି ମୋର
ଡାକିବାକୁ ବଳ ନାହିଁ….
ଦୁର୍ବଳ ଦେହ ମୋ ହେଲାଣି ଅଚଳ
କାହାକୁ କହିବି ମୁହିଁ……!!
ଲେଖିଲି କବିତା ଅନେକ ଜୀବନେ
ଲେଖିଲି ପ୍ରବନ୍ଧ କେତେ…..
କାହାଣୀ ଲେଖିଣ କରିଲି ପ୍ରଚାର
ପାରିବା ପଣ ମୋ ଯେତେ…..!!
ଜୟପୁର ଯାଇ ଆକାଶ ବାଣୀରେ
ଦେଲି ମୁଁ ସାକ୍ଷାତକାର…..
କହିଲି ଭାବୁକ ଭାବ ପ୍ରବଣରେ
ରେଡ଼ିଓ ହେଲା ପ୍ରଚାର…..!!
ଗଲି ବହୁ ସ୍ଥାନ ଧରି ମୋ କବିତା
ଗାଇଲି କଣ୍ଠ ଫଟାଇ…..
ଆଉ ଏବେ ବନ୍ଧୁ ଯାଇ ପାରୁ ନାହିଁ
ଯାଉଛି ନିଜେ ଦୂରେଇ…..!!
ଚିହ୍ନିଲା ନି ମୋତେ ଓଡ଼ିଶା ସରକାର
ଜାଣିଲା ନି ପ୍ରଶାସନ……
କବି ବା ଲେଖକ ହେବା ଅବଶୋଷ
ରହିଲା ହୃଦୟେ ଚିହ୍ନ…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave a Reply

Your email address will not be published. Required fields are marked *