ଜମି କରାଇଦେବାକୁ କହି ୫ ଲକ୍ଷ ୮୦ ହଜାର ଟଙ୍କା ନେଇ ଠକ ଫେରାର

କୁଜଙ୍ଗ-୩/୯-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସିଂହପୁର ଗ୍ରାମର ଈଶ୍ୱରଙ୍କ ପୁଅ କୃପାସିନ୍ଧୁ ସ୍ବାଇଁ ତିର୍ତ୍ତୋଲ ଥାନା ପାଖରେ ଜମି କିଣାଇଦେବାକୁ କହି କେନ୍ଦ୍ରାପଡା ଜିଲ୍ଲା ବରିପଲା ଗ୍ରାମର ପଞ୍ଚାନନ ମନ୍ଥନଙ୍କଠାରୁ ୫ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିବାର ଥାନାରେ ଅଭିଯୋଗ ହୋଇଛି। ତିର୍ତ୍ତୋଲ ଅଞ୍ଚଳରେ ଏକ ଭଡାଘରେ ରହି କୃପାସିନ୍ଧୁ ପ୍ରଥମେ ପଞ୍ଚାନନଙ୍କ ସହ ବନ୍ଧୁତା ସ୍ଥାପନ କରି ପରେ ବାସପୋଯୋଗୀ ଜମି କିଣାଇ ଦେବାକୁ କହି ପର୍ଯ୍ୟାୟକ୍ରମେ ଏହି ଟଙ୍କା ନେଇ ସ୍ତ୍ରୀ ପିଲାଙ୍କୁ ଧରି ସୂଦୂର କୋଲକତାକୁ ପଳାଇ ଯାଇଥିଲେ। କେବଳ ପଞ୍ଚାନନଙ୍କୁ କାହିଁକି ତିର୍ତ୍ତୋଲ ଏବଂ କୁଜଙ୍ଗ ଅଞ୍ଚଳରେ ଅନେକ ଲୋକଙ୍କୁ ସେ ଠକିଥିବା ସାଧାରଣରେ ଆଲୋଚନା ହେଉଛି। କାହାକୁ ଜମି ତା ଆଉ କାହାକୁ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ସେ ଠକି ନେଇଛନ୍ତି। ୨୦୧୯ରେ ପଞ୍ଚାନନ ଠକାମୀର ଶୀକାର ହୋଇଥିଲେ। ୬ ବର୍ଷ ବିତିଯାଇଥିଲେ ମଧ୍ୟ କୃପାସିନ୍ଧୁ ତାଙ୍କୁ ଜମି କିମ୍ବା ଟଙ୍କା ଫେରସ୍ତ ଦେଇନାହାନ୍ତି। ଫୋନକଲେ ଆଜି କାଲି ଦେବି କହି ସମୟ ଗଡ଼ାଇ ଚାଲିଥିବା ପଞ୍ଚାନନ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏହି ଠକାମୀ ସଂପର୍କରେ ପ୍ରଥମେ ତିର୍ତ୍ତୋଲ ଏବଂ ପରେ ସେତେବେଳର କୁଜଙ୍ଗ ଆଇଆଇସିଙ୍କୁ ସେ ମୈ।ଖିକ ଭାବେ ଜଣାଇ ଆଇନଗତ ସାହାଯ୍ୟ ଲୋଡ଼ିଥିଲେ। ତତ୍କାଳୀନ କୁଜଙ୍ଗ ଆଇଆଇସି ଏସ କେ ପ୍ରଧାନ ଜଣେ ପୋଲିସ କର୍ମଚାରୀଙ୍କୁ ସିଂହପୁର ଗ୍ରାମକୁ ଘଟଣାର ଅନୁସନ୍ଧାନ ପାଇଁ ପଠାଇଥିଲେ। ମାତ୍ର ଅଭିଯୁକ୍ତ କୃପାସିନ୍ଧୁ ଦୀର୍ଘ ଦିନ ହେବ ଗାଁ ଛାଡି ବାହାରେ ରହୁଥିବାର ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ଠକେଇ କାର୍ଯ୍ୟରେ କୃପାସିନ୍ଧୁ ବ୍ୟବହାର କରିଥିବା ଫୋନ ନମ୍ବର ୮୫୯୮୯୧୧୯୨୨/୭୩୨୭୦୦୯୫୩୩/୮୯୧୭୪୦୨୪୯୭ କୁ ବନ୍ଦକରି ନୂତନ ନମ୍ବର ୭୨୦୫୬୪୩୫୩୪ ବ୍ୟବହାର କରୁଥିବା ତାର ସାନଭାଇ ସୂଚନା ଦେଇଛନ୍ତି। ନିଜ ମା’ର ମୃତ୍ୟୁ ଖବର ପାଇ ମଧ୍ୟ ଠକିଥିବା ଲୋକଙ୍କ ମାଡ଼ ଭୟ ଏବଂ ପୋଲିସ ଗିରଫ ଆଶଙ୍କା ରେ ସେ ଶୁଦ୍ଧି ହେବାକୁ ସିଂହପୁର ଗାଁ କୁ ଆସିଲା ନାହଁ ବୋଲି ତା’ର ସାନଭାଇ କହିଥିବା ପଞ୍ଚାନନ ଏତଲାରେ ଉଲ୍ଲେଖ କରିଛନ୍ତି। ଉପଯୁକ୍ତ ନ୍ୟାୟ ପାଇଁ ସେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *