ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ୍
ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଫଟୋ ଉଠାଇ ପେଟ ପୋଷୁଥିବା ପ୍ରାୟ ୨୫୦ ଫଟୋଗ୍ରାଫର ଙ୍କୁ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ ଏସ ଆଇ) ନୂଆ ଗାଇଡଲାଇନ୍ ଅନୁଯାୟୀ ମନ୍ଦିର ପରିସର ମଧ୍ୟକୁ ବାରଣ କରିବାକୁ ନେଇ ଏକ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର,ଏଏସଆଇ ଡିଜି,ଏଏସଆଇ ପୁରୀ ସର୍କଲର ଅଧିକ୍ଷକ ,ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାପାଳ ଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ମଇ ୧୭ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ୍ ଦାଖଲ କରିବାକୁ କୁହାଯାଇଛି।ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୂରଲୀଧର ଓ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ଙ୍କୁ ନେଇ ଗଠିତ ଖଣ୍ଡପୀଠ ବୈଦ୍ୟନାଥ ଗୋଚ୍ଛାୟତ ଓ ଅନ୍ୟମାନଙ୍କ ପକ୍ଷରୁ ଆଗତ ହୋଇଥିବା ରିଟ ପିଟିସନ ର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ଘଟଣାରୁ ପ୍ରକାଶ ଯେ , ଗତ ଫନି ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରାୟ ୨୭୧ ଜଣ ଫଟୋଗ୍ରାଫରଙ୍କୁ ଚିହ୍ନଟ କରାଯାଇ ସମସ୍ତଙ୍କୁ ୧୦୦୦୦/- ଲେଖାଏଁ ବାତ୍ୟା ସହାୟତା ପ୍ରଦାନ କରାଯାଇଥିଲା।୨୦୧୭ ମସିହାରେ ଏ ଏସ ଆଈ ପକ୍ଷରୁ ନୂଆ ଗାଇଡଲାଇନ ଆସିଥିଲା। ଏଥିରେ ମନ୍ଦିର ଭିତରେ ଫୋଟୋଗ୍ରାଫି ପାଇଁ ସର୍ବନିମ୍ନ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ ହୋଇଥିବା ବେଳେ ସର୍ବାଧିକ ୬୮ ଜଣ ଫୋଟୋଗ୍ରାଫର ମନ୍ଦିର ଭିତରକୁ ଯାଇପାରିବେ ବୋଲି କୁହାଯାଇଥିଲା।ସେହିପରି ପର୍ଯ୍ୟଟନ ବିଭାଗ ପରିଚୟ ପତ୍ର ଦେଖାଇ କିଛି ଫୋଟୋଗ୍ରାଫର ମନ୍ଦିର ଭିତରକୁ ଯାଉଥିବାବେଳେ। ହେଲେ ପରବର୍ତ୍ତୀ ସମୟରେ ଏହି ପରିଚୟପତ୍ର କୁ ପର୍ଯ୍ୟଟନ ବିଭାଗ ଅସ୍ବୀକାର କରିଥିଲେ ଏବଂ ଏହା ତତ୍କାଳୀନ ପର୍ଯ୍ୟଟନ ଅଧିକାରୀଙ୍କ ଦ୍ଵାରା ବ୍ୟକ୍ତିଗତ ଭାବେ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା।ଏହି ତଥ୍ୟ ଜଣାପଡିବା ପରେ ଫୋଟୋଗ୍ରାଫରମାନଙ୍କୁ ଏଏସଆଈ ପକ୍ଷରୁ ଭିତରକୁ ଯିବାକୁ ବାରଣ କରାଯାଇଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତ କରାଯାଇଥିବା ତାଲିକା ଅନୁଯାୟୀ ଅନୁମତି ଦେବାପାଇଁ ଏହି ମାମଲା ରୁଜ୍ଜୁ ହୋଇଛି। ଅଧିକନ୍ତୁ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଓ ସର୍ବାଧିକ ୬୮ ସଂଖ୍ୟା କିପରି ଓ କେଉଁ ଭିତ୍ତିରେ ସ୍ଥିରୀକୃତ ହେଲା, ତାହା ମଧ୍ଯ ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।ଆବେଦନକାରୀଙ୍କ ପକ୍ଷରୁ କୋଣାର୍କ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ଶ୍ରୀଜୟ କୁମାର ବରାଳ ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
