ଆଶା
|| ଆଶା ||
ଚର୍ଚ୍ଚିତ ଚର୍ମର
ଖୋଳପା ନୁହେଁ,
ଚନ୍ଦନ, ଚନ୍ଦ୍ର ଓ ଚନ୍ଦ୍ରଭାଗାର
ନିବିଡ଼ ସଂଗମରେ ଧାରେ ସ୍ଵପ୍ନ ମୁଁ,
ମୋତେ ଆଗକୁ ଯିବାକୁ ହେବ
ନିଜ ସହ ନିଜକୁ ଯୁଦ୍ଧ କରି,
କାହା କରୁଣାରେ ନୁହେଁ,
ନିଜସ୍ବ ଫୁଲଫୁଟା ଶୈଳୀର
ନାୟକ ମୁଁ,
ଆକ୍ଷେପର କ୍ଷେପଣାସ୍ତ୍ରକୁ ଭେଦି
ଲକ୍ଷ ମୋର ବିଶ୍ବ ଛବି,
ଗୋଟିଏ ସଳଖ ଜୀବନ
ଅଭିନୟ ରହିତ ଏମିତି ରାସ୍ତାଟିଏ ଚାହେଁ ।
ଆଶାର ତାତି ପୋଡି ପାରେନା,
ଅସୂୟାର ତାତି କରେ ପାଉଁଶ,
ମୁଁ ଆଶାଦୀପଟିଏ ନୀରବଧି
ଭୋଗି ମ୍ଲାନ ନିଦାଘର କ୍ଲେଶ ।
ପ୍ରେମ କଣ ବିନିମୟ,
ପ୍ରେମ କଣ ପ୍ରତ୍ୟାଶା,
ପ୍ରେମ ତ ଆଶାର ରୋଷଣୀ
ମୁଁ ସେଇ ପଥର ସୌଦାଗର,
ମିଠା ବନ୍ଧନର ପରିଭାଷା,
ସବୁ ଆଶା କଣ ନିଜ ଭିତରର
ଅଡ଼ୁଆ ସୂତା ?
ବହଳ ମିଛ ଅଭିନୟ ତଳେ
ଶୋଇଥାଏ ଆଶା,
ଲୋଡେ ଲକ୍ଷେ କୁତ୍ରିମ ଛୁଆଁ,
ସେଇଥିପାଇଁ ତ ଏ ଧାଆଁ ଦଉଡ,
ନିଜ ଅସ୍ତିତ୍ବର ଅଗ୍ନିପରୀକ୍ଷାରେ
ଧରାପଡେ ମୁଁ,
ପ୍ରକଟିତ ହୁଏ ଧାରା ଶ୍ରାବଣ ପରି
ଗୋପନ ଅଭିପ୍ସା ।
ଆଶା ଏକ ପବିତ୍ର ନଈ
ଯା ଲକ୍ଷ୍ୟ ସାଗର
ସାରା ଜଟିଳତାକୁ ଧୋଇ ।
*‘
©®ସୁଜିତ କୁମାର ମିଶ୍ର ™
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨
