ଐତିହ ନଗର ପୁରୀରେ ଚାଲିଛି ଅନୈତିକ କାର୍ଯ୍ୟ। ସ୍ପା ଆଳରେ ଚାଲିଛି ଦେହ ବେପାର।
ଐତିହ ନଗର ପୁରୀରେ ଚାଲିଛି ଅନୈତିକ କାର୍ଯ୍ୟ। ସ୍ପା ଆଳରେ ଚାଲିଛି ଦେହ ବେପାର। ଧାର୍ମିକ ସହରରେ ଅଧର୍ମ କାମ ଚାଲିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ। ମାଲିସ୍ ନାଁରେ ଅନୈତିକ କାରବାର ଚାଲୁଥିବା ଅଭିଯୋଗ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ସହରରେ ପ୍ରାୟ ୨୦ରୁ ଅଧିକ ସ୍ପା ରହିଛି। କିନ୍ତୁ ସ୍ପାରେ କ’ଣ ଚାଲୁଛି ତାହା ଜାଣି ପାରୁନାହିଁ ପୋଲିସ। କେବଳ ଅଭିଯୋଗ ଆସିଲେ ଚଢ଼ଉ କରି ଚୁପ୍ ହୋଇ ବସି ପଡ଼ୁଛି ପୋଲିସ।ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ଏଠାରେ ସ୍ପା ଆଳରେ ଦେହ ବ୍ୟବସାୟ ଚଳାଉଥିବା ସହ କୋଲକାତା, ଆସାମ ଓ ନେପାଳରୁ ମଧ୍ୟ ଯୁବତୀମାନଙ୍କୁ ଆଣି ସ୍ପା ଏବଂ ହୋଟେଲ୍କୁ ଯୋଗାଯାଉଛି।ଆଗକୁ ପର୍ଯ୍ୟଟନ ରୂତୁ ଏବଂ ନୂଆବର୍ଷ ଆସୁଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ,ପର୍ଯ୍ୟଟକ,ତୀର୍ଥଯାତ୍ରୀଙ୍କ ଏବେଠାରୁ ଆଗମନ ହେଲାଣି। ତେଣୁ ରେଳଷ୍ଟେସନ ସହ ବସଷ୍ଟାଣ୍ଡ ଏବଂ ବିଭିନ୍ନ ଜନଗହଳି ସ୍ଥାନ ଉପରେ ପୋଲିସ କଡା ନଜର ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସେପଟେ ସ୍ପା ପାଇଁ ସରକାର ଏକ ଗାଇଡଲାଇନ୍ ଆଣିବା ସହ ସହରର ସମସ୍ତ ସ୍ପାକୁ ସିସିଟିଭି ନଜରରେ ରଖିବାକୁ ଦାବି ହୋଇଛି। ଅନ୍ୟପଟେ ପୁରୀରେ ୩୦୦୦ରୁ ଅଧିକ ହୋଟେଲ୍ ଏବଂ ଲଜିଂ ରହିଥିବା ବେଳେ ଆଗକୁ ନୂଆବର୍ଷ ଆସୁଥିବାରୁ ସ୍ପା ଉପରେ ପୋଲିସର କଡା ଯାଞ୍ଚ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ତେବେ ସହରରେ ଥିବା ସ୍ପା ମାନଙ୍କର ବୈଧ ପ୍ରମାଣପତ୍ରକୁ ଯାଞ୍ଚ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର।କିଛିଦିନ ତଳେ ପୁରୀ ସିଟି ରୋଡ୍ରେ ଥିବା ହେଭେନ୍ ସ୍ପାରେ ଚାଲିଥିଲା ଅନୈତିକ କାର୍ଯ୍ୟ। ମାଲିସ୍ ନାଁରେ ଚାଲିଥିଲା ଦେହ ବେପାର।

ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଚଢ଼ଉ କରିଥିବା ବେଳେ ଅସଞ୍ଜତ ଅବସ୍ଥାରେ ଯୁବକ ଯୁବତୀଙ୍କୁ ଧରିଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରିଥିଲା ପୁରୀ ପୋଲିସ। ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଯଦି ମନ୍ଦ ଉଦେଶ୍ୟ ରଖି ସ୍ପାରେ କିଛି ଅନୈତିକ କାର୍ଯ୍ୟ କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ସେପଟେ ହୋଟେଲ୍ ଆସୋସିଏସନ ସହ ଏହା ଉପରେ ଆଲୋଚନା ହୋଇଥିବା ବେଳେ ଜଣେ ଡିଏସପି ରାଙ୍କର ଅଫିସର ଏହାକୁ ତଦାରଖ କରିବେ ବୋଲି କହିଛନ୍ତି ଏସପି ପ୍ରତୀକ୍ ସିଂ।ଯଦି ସ୍ପା ମାନଙ୍କରେ ମହିଳାଙ୍କୁ ଶୋଷଣ କିମ୍ବା ବେଆଇନ୍ ଅନୈତିକ କାର୍ଯ୍ୟ କରାଯାଉଥିବ ତେବେ ସମ୍ପୃକ୍ତ ସ୍ପା ଉପରେ ରେଡ୍ କରାଯିବା ସହ ତାକୁ ସିଲ୍ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ। ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ରରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସ୍ପା ମାନଙ୍କ ଉପରେ ରହିଛି ପୋଲିସର ତୀକ୍ଷ୍ନ ନଜର,,,ତେଣୁ ସାବଧାନ ହେବାର ସମୟ ଆସିଛି,,ନଚେତ୍ ସ୍ପାକୁ ସିଲ୍ କରାଯିବ l
