ଅନ୍ଧାରରେ ‛ଆଇ ଲଭ୍ ବ୍ରହ୍ମପୁର

ବ୍ରହ୍ମପୁର ସହରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗତ ଦିନରେ ଅନେକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହାରି ଭିତରେ ସବୁଠୁ ଚର୍ଚ୍ଚାରେ ରହିଥିଲା ‛ଆଇ ଲଭ୍ ବ୍ରହ୍ମପୁର’। ଯାହା ସହରବାସୀଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ରଙ୍ଗବେରଙ୍ଗର ଆଲୋକରେ ଚମକୁଥିବା ଏହି ସ୍ଥଳ ଏବେ ଅବହେଳିତ ଅବସ୍ଥାରେ ପଡି ରହିଛି। ବ୍ରହ୍ମପୁର ସବ୍ ରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖ ତଥା ବିଇଏମସି କମିଶନରଙ୍କ ସରକାରୀ ବାସ ଭବନ କଡରେ ଏହି ଆକର୍ଷଣୀୟ ସେଲ୍ଫି ପଏଣ୍ଟ ରହିଛି। ଦିନ ଥିଲା ପ୍ରତିଦିନ ସନ୍ଧ୍ୟାରେ ଏଠି ସହରବାସୀଙ୍କ ଭିଡ଼ ଜମୁଥିଲା। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ଏଠି ଭିଡ଼ ଜମାଇବା ସହ ସେଲ୍ଫି ଉଠାଇ ମଜା ନେଉଥିଲେ। କହିବାକୁ ଗଲେ ରଙ୍ଗୀନ୍ ଆଲୁଅରେ ଝଲସୁଥିଲା ଏହି ସ୍ଥାନ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଖତ ଖାଇବାକୁ ବସିଲାଣି। ଗତ କିଛି ମାସ ହେବ ଏହି ସେଲ୍ଫି ପଏଣ୍ଟ ଟି ଅବହେଳିତ ଅବସ୍ଥାରେ ପଡି ରହିଛି। ଦୀର୍ଘ ଦିନ ହେବ ଏଠି ଆଲୁଅ ଜଳୁନଥିବା ବେଳେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ବିଇଏମସି କତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଚର୍ଚ୍ଚା ପ୍ରକାରେ, କେବଳ ଏହି ସେଲ୍ଫି ପଏଣ୍ଟ ନୁହେଁ ବରଂ ସହରର ସୌନ୍ଦର୍ଯ୍ୟ ବଢାଇବାକୁ ବିଭିନ୍ନ ପ୍ରମୁଖ ଛକରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଥିଲା। କିନ୍ତୁ ସୌନ୍ଦର୍ଯ୍ୟକରଣ ଏବେ ସମ୍ପୂର୍ଣ୍ଣ ବିପଦରେ ରହିଥିବା ଜଣାପଡିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ମିତ ବହୁ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ଜରାଜୀର୍ଣ୍ଣ ଅବସ୍ଥାରେ ବିଭିନ୍ନ ସୌନ୍ଦର୍ଯ୍ୟ ସ୍ଥାନ ପଡି ରହିଛି। ଗତ କିଛି ବର୍ଷ ତଳେ ରେଶମ ସହରକୁ ସ୍ଵଛ ଓ ସୁନ୍ଦର କରିବାକୁ ବହୁ ସୌନ୍ଦର୍ଯ୍ୟକରଣ କାମ ହାତକୁ ନେଇଥିବା ବିଇଏମସି ୧୨ ଶହ ବର୍ଗ ଫୁଟ ଅଂଚଳରେ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟରେ ଏହି ସେଲ୍ଫି ପଏଣ୍ଟ ନିର୍ମାଣ କରିଥିଲା। କେବଳ ସେତିକି ନୁହେଁ ଏହା ପରିସରରେ ଅନେକ ପଶୁପକ୍ଷୀ ଓ ଝରଣା ବି ରହିଛି। ଉଦଘାଟନ ବେଳେ ଏହା ସହରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ବି ପାଲଟିଥିଲା। କିନ୍ତୁ କାଳକ୍ରମେ ଏହାର ସଠିକ୍ ପରିଚାଳନା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି। ଏହି ସୌନ୍ଦର୍ଯ୍ୟ ସ୍ଥାନର ପୁନରୁଦ୍ଧାର ପାଇଁ ବିଇଏମସି କତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ତେବେ ତୁରନ୍ତ ପ୍ରଶାସନ ଏସବୁ ଉପରେ ଦୃଷ୍ଟି ଦେଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *