ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ

.=ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମା’ଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ପୂଜା ଚାଲିବ । ମା’ ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପୀ ସପ୍ତମାତୃକା ବେଶରେ ମା’ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ବଶାନ୍ତି ମହାଯଜ୍ଞ ନେଇ ବିଶେଷ ପ୍ରସ୍ତୁତି ଗ୍ରହଣ କରାଯାଇଛି । ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ଯରୁ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ବତୀ, ମହାଲଷ୍ମୀ ବେଶରେ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯିବ ବୋଲି ମା’ଙ୍କ ପୂଜକ କହିଛନ୍ତି । ତେବେ ମା’ଙ୍କ ପୂଜାର୍ଚ୍ଚନା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମା’ଙ୍କ ବରିଷ୍ଠ ସେବାୟତ କହିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ସହରରେ ୯ଟି ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜାମଣ୍ଡପ ଗୁଡିକ ପକ୍ଷରୁ ପ୍ରତିଯୋଗିତା ମୂଳକ ଆୟୋଜନ କରାଯାଇଛି । ଭଦ୍ରକର ପ୍ରସିଦ୍ଧ କଳୀପୂଜା ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ପୂଜା ଚାଲିବ । ୮ ତାରିଖ ମଧ୍ୟ ରାତିରେ ମା’ ମେଲାଣି ନେବେ । ପ୍ରସିଦ୍ଧ କାଳୀପୂଜାକୁ ମହାଆଡମ୍ବର ସହକାରେ ପାଳନ କରିବାକୁ ବିଶେଷ ଆୟୋଜନ କରାଯାଇଛି । ତେବେ ଚରମ୍ପାରେ ଟ୍ରାଫିକ କାଳୀ, ପିଡବ୍ଲୁଆଇ କାଳୀ, ପଥରକାଳୀ ରେଲୱେ କର୍ମଚାରୀଙ୍କ ପକ୍ଷରୁ ପାଳନ କରାଯାଉଥିବା ବେଳେ, ରାଜଘାଟ କାଳୀ, ଚରମ୍ପା ସ୍କୁଲ ରୋଡ୍ କାଳୀ, ବିଷାଣୀ ଖରିଦା କାଳୀ, ଏରେଇଁ କାଳୀ, ଓଏସ ଆରଟିସି କାଳୀ ପ୍ରମୁଖ ବିଭିନ୍ନ ପୂଜା କମିଟି ପକ୍ଷରୁ ମହାଆଡମ୍ବର ସହକାରେ ହେବ ବୋଲି ପୂଜା କମିଟି କର୍ମକର୍ତ୍ତା କହିଛନ୍ତି । ବିଶେଷ କରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ନେଇ ପୂଜାମଣ୍ଡପ ଗୁଡିକ ପକ୍ଷରୁ ଆଲୋକ ସାଜସଜ୍ଜା ସହ ମୀନାବଜାର, ଯାତ୍ରା, ପାର୍ଶ୍ଵମୂର୍ତ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ବିଭିନ୍ନ କାଳୀପୂଜା କମିଟି ସଦସ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *