ପୁଣି ଜୀବନ ନେଲା ବଜ୍ରପାତ
ଜଳବାୟୁ ପରିବର୍ତ୍ତନ ଓ ଅଚାନକ ଘଡଘଡି ବର୍ଷା ଯୋଗୁଁ ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ବଜ୍ରପାତ ଆଉ ଏକ ଜୀବନ ନେଇଛି। ଶନିବାର ଅପରାହ୍ନରେ ହଠାତ୍ ବିଜୁଳି ଘଡଘଡି ସହ ବର୍ଷା ଉଠାଇ ଆସି କାଳ ସାଜିଥିଲା। ଗୋପ ଥାନା ଅନ୍ତର୍ଗତ ଜହ୍ନିବାଲିଆ ଛକ ନିକଟ ତିରୁଣା ଗ୍ରାମ ଠାରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ବଜ୍ରପାତରେ ବ୍ୟକ୍ତିଙ୍କ ଶରୀର ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ କୋଣାର୍କ ଥାନା ଅନ୍ତର୍ଗତ ଧନିତ୍ରି ଜଗନ୍ନାଥପଡା ଗ୍ରାମର ୫୦ ବର୍ଷିୟ ଲକ୍ଷ୍ମୀଧର ପ୍ରଧାନ (ଗାଣ୍ଡୁଆ) ବୋଲି ସୁଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ନୟାହାଟ ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ଚାରିଛକ ମେଡ଼ିକାଲକୁ ସ୍ଥାନାନ୍ତର କରିଛି। ମୃତ ବ୍ୟକ୍ତିଙ୍କ ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ଜଣ ପୁଅ ଝିଅ ଅଛନ୍ତି। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାରକୁ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଓ ସହାୟତା ରାଶି ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏହି ଦୁଃଖଦ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
