ବିଦ୍ୟାଳୟ ଓ ଆଦିବାସୀ ଛାତ୍ରାବାସର ଦୟନୀୟ ଅବସ୍ଥା ନେଇ ITDA ପ୍ରକଳ୍ପ ପ୍ରଶାସକଙ୍କୁ ଭେଟିଲେ ମାଲକାନଗିରି ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟମାନେ

ମାଲକାନଗିରି,୧୦/୭: ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଆଦିବାସୀ ଛାତ୍ରାବାସରେ ଦେଖାଦେଇଥିବା ନାନା ସମସ୍ୟାକୁ ନେଇ ଆଜି ମାଲକାନଗିରି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟା-ସଭ୍ୟମାନେ ITDA ପ୍ରକଳ୍ପ ପ୍ରଶାସକ (PA)ଙ୍କୁ ସାକ୍ଷାତ କରି ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରିଥିଲେ। ବର୍ଷା ଋତୁରେ ବିଦ୍ୟାଳୟ ଓ ଛାତ୍ରାବାସର ଅବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ସୁରକ୍ଷା ଉପରେ ପ୍ରଭାବ ପକାଉଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ, ଜିଲ୍ଲାର ଅନେକ ବିଦ୍ୟାଳୟ ଓ ଆଦିବାସୀ ଛାତ୍ରାବାସର ଛାତରୁ ବର୍ଷା ପାଣି ଗଳୁଥିବାରୁ ଛାତ୍ରଛାତ୍ରୀମାନେ ଅସ୍ୱାସ୍ଥ୍ୟକର ଓ ବିପଦପୂର୍ଣ୍ଣ ପରିବେଶରେ ପାଠପଢ଼ା କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତି ଶିକ୍ଷାର ମାନକୁ ପ୍ରଭାବିତ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି।ବିଶେଷକରି ମାଥିଲି SSD ଗାର୍ଲ୍ସ ହାଇସ୍କୁଲରେ ପ୍ରାୟ ଏକ ସପ୍ତାହ ଧରି ବିଦ୍ୟୁତ ସଂଯୋଗ ବନ୍ଦ ଥିବା ଘଟଣାକୁ ଜିଲ୍ଲା ପରିଷଦ ସଦସ୍ୟମାନେ PAଙ୍କ ଦୃଷ୍ଟିକୁ ଆଣିଥିଲେ। ବିଦ୍ୟୁତ ନଥିବାରୁ ଛାତ୍ରୀମାନଙ୍କ ପାଠପଢ଼ା, ଦୈନନ୍ଦିନ ଜୀବନ ଓ ସୁରକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଥିବା କଥା ସେମାନେ ଉଲ୍ଲେଖ କରିଥିଲେ।ଏହା ବ୍ୟତୀତ ବିଭିନ୍ନ ଛାତ୍ରାବାସରେ ମୌଳିକ ସୁବିଧାର ଅଭାବ, ବର୍ଷା ଦିନରେ ରହିବାର ଅସୁବିଧା ଓ ଆବଶ୍ୟକ ମରାମତି କାର୍ଯ୍ୟ ତୁରନ୍ତ କରାଯିବାର ଆବଶ୍ୟକତା ନେଇ ମଧ୍ୟ ଦାବି ଜଣାଯାଇଥିଲା।ITDA ପ୍ରକଳ୍ପ ପ୍ରଶାସକ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ ଏବଂ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନ ଦେଇଥିବା ସୂଚନା ମିଳିଛି।ଜିଲ୍ଲା ପରିଷଦ ସଦସ୍ୟମାନେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁରକ୍ଷା ଓ ମୌଳିକ ସୁବିଧା ସହ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ। ଜନପ୍ରତିନିଧି ଭାବେ ସେମାନେ ସବୁବେଳେ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହ ତାହାର ସମାଧାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *