ମଦ ମୁକ୍ତ ଗ୍ରାମ ପାଇଁ ଥାନାରେ ଦାବିପତ୍ର ପ୍ରଦାନ କଲେ ମର୍ଦ୍ଦକୋଟ ଗ୍ରାମବାସୀ

ଗାଁ କୁ ସଂପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଆଗେଇ ଆସିଲେ ଯୁବପିଢ଼ି। ଗାଁ ରେ ଏନେଇ ସଭା କରି ସଚେତନତା କରିବା ପରେ ପୋଲିସ ପ୍ରଶାସନର ସହଯୋଗ ଲୋଡିଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ସଂପୂର୍ଣ୍ଣ ମଦ କାରବାର ବନ୍ଦ କରିବା ପାଇଁ କୋଦଳା ଥାନାର ସହଯୋଗ ଲୋଡିଛନ୍ତି ଗ୍ରାମବାସୀ। ଚିକିଟି ମଦ ମୃତ୍ୟୁ ମାମଲା ରାଜ୍ୟର ଚହଳ ସୃଷ୍ଟି କରିଛି। ଗାଁ ଗାଁ ରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦମୃତ୍ୟୁ ଭୟ ରହୁଛି। ଦିନକୁ ଦିନ ମଦ୍ୟପାନ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାରୁ ଆରମ୍ଭ କରି ବୟ‌ସ୍କ ବ୍ୟକ୍ତି ପର୍ଯ୍ୟନ୍ତ ମଦ୍ୟପାନ କରିବାରେ ପଛାଉ ନାହାନ୍ତି। ମର୍ଦ୍ଦକୋଟର ବିଦ୍ଯାଳୟ ନିକଟରେ ମଦ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ଗାଁ ରେ ମଦ ବନ୍ଦ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀଙ୍କୁ ସଚେତନ କରାଯିବା ପରେ କୋଦଳା ଥାନାରେ ଏକ ଦାବିପତ୍ର ପ୍ରଦାନ କରି ସହଯୋଗ ଲୋଡିଛନ୍ତି ଗ୍ରାମବାସୀ। ପରବର୍ତ୍ତୀ ସମୟରେ ମଦ ବିରୋଧୀ ଶୋଭାଯାତ୍ରା କରି ସଚେତନ କରାଯିବ ଏବଂ ଯଦି ଗାଁ ରେ କୌଣସି ବ୍ଯକ୍ତି ଏଥିରେ ଅମାନ୍ଯ କରି ପୁଣି ମଦ ବିକ୍ରି କରନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଗ୍ରାମବାସୀ। ମର୍ଦ୍ଦକୋଟ ସରପଞ୍ଚ ସନ୍ତୋଷ କୁମାର ବିଶ୍ବାଳ, ବିଜେପି ନେତା ସଞ୍ଜୟ ଘୋଷଙ୍କ ସହ ଶତାଧିକ ଗ୍ରାମବାସୀ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *