ମେଗା ପାଇପ ଜଳ ଯୋଗାଣ ସମୀକ୍ଷା ବୈଠକ

ମେଗା ପାଇପ ଜଳ ଯୋଗାଣ ସମୀକ୍ଷା ବୈଠକପୁରୀ ୨୩/୪ ପୁରୀ ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ର ସମୀକ୍ଷା କରିବା ସହ ତ୍ୱରାନ୍ୱିତ ପ୍ରକ୍ରିୟାରେ କାର୍ଯ୍ୟ ସମାପ୍ତ କରି ଜନ ସାଧାରଣ ଙ୍କୁ ଜଳ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମେଗା ପାନୀୟ ଜଳ ଯୋଗାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରକଳ୍ପ ଗୁଡିକ ଆରମ୍ଭ ହେବାର ଅନେକ ଦିନ ପର୍ଯ୍ୟନ୍ତ ଶେଷ ନ ହେବା ଓ ଲୋକ ମାନଙ୍କ ସେବାରେ ନ ଲାଗିବା ଦୁଖଦାୟକ ବୋଲି କହିଥିଲେ।ଆରମ୍ଭ ହୋଇଥିବା ୮ ଟି ମେଗା ପ୍ରକଳ୍ପ ମଧ୍ୟରୁ ୪ ଟିର କାର୍ଯ୍ୟ ୪ ବର୍ଷ ହେଲାଣି ଚାଲୁଥିଲେ ମଧ୍ୟ ଶେଷ ହେଉ ନ ଥିବାରୁ ସଂପୃକ୍ତ ଏଜେନ୍ସି ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ।ଏଲ ଆଣ୍ଡ ଟି ଏଜେନ୍ସି ସତ୍ୟବାଦୀ ର ପ୍ରକଳ୍ପ କାର୍ଯ୍ୟ କୁ ଆସନ୍ତା ୧୫ ଦିନ ମଧ୍ୟରେ ଶେଷ କରି ପ୍ରତ୍ୟେକ ପରିବାର କୁ ଜଳ ଯୋଗାଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଜିଭିପିଆର ଏଜେନ୍ସି ଅଧିକ ମାନବ ସମ୍ବଳ ଓ କୌଶଳ ଉପଯୋଗ କରି କୃଷ୍ଣ ପ୍ରସାଦ ବ୍ଲକର ମେଗା ପ୍ରକଳ୍ପ କୁ ମଇ ୩୧ ସୁଦ୍ଧା ଓ କଣାସ ବ୍ଲକ ମେଗା ପ୍ରକଳ୍ପକୁ ଜୁନ ୩୦ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଅପରପକ୍ଷରେ ଭୋଲଟାସ ଏଜେନ୍ସି ର ପ୍ରକଳ୍ପ ମ୍ୟାନେଜର ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରି ମଇ ପ୍ରଥମ ସପ୍ତାହ ସୁଦ୍ଧା ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କାକଟପୁର, ଅସ୍ତରଙ୍ଗ, ଗୋପ,ପୁରୀ ସଦର,ସତ୍ୟବାଦୀ ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ନୂଆ ମେଗା ପ୍ରକଳ୍ପ ପାଇଁ ୭ ମାସ ତଳୁ ମଞ୍ଜୁର ସତ୍ତ୍ୱେ ଅଗ୍ରଗତି ହୋଇ ନ ଥିବାରୁ ଯଦି ଜମି ସମସ୍ୟା ରହୁଛି ତେବେ ସଂପୃକ୍ତ ତହସିଲଦାର ମାନଙ୍କ ସହ ଯୋଗାଯୋଗ କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ବାରିକ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସମସ୍ତ ସହକାରୀ ଯନ୍ତ୍ରୀ, ଏସଡିଓ,କନିଷ୍ଠ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *