ଶ୍ରମିକ ଙ୍କ ଟଙ୍କା ଖାଇଲେ ଠିକାଦାର
ଶ୍ରମିକ ଙ୍କ ଟଙ୍କା ଖାଇଲେ ଠିକାଦାର ରେଳ ବିଭାଗରେ ମହାଘୋଟଲା ଶ୍ରମିକଙ୍କ ଟଙ୍କା ଖାଇଲେ ଠିକାଦାର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରେଳ ବିଭାଗରେ କେଳେଙ୍କାରୀ ବର୍ତ୍ତମାନ ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l ଟିଟିଲାଗଡ଼ରେ ରେଳ ବିଭାଗ କାର୍ଯ୍ୟରେ ନିୟୋଜିତ କିଛି ସଫେଇ କର୍ମଚାରୀଙ୍କ ଅଭିଯୋଗ ପରେ ଏକ ନୂତନ ଘୋଟାଲା ସାମ୍ନାକୁ ଆସିଛି l ରେଳ ବିଭାଗରେ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଥିବା ବେଳେ ଠିକାଦାର ତଞ୍ଚକତାର ସୀମା ଲଙ୍ଘିଥିବା ଅଭିଯୋଗ ହୋଇଛି l ପ୍ରକାଶ ଯେ ଟିଟିଲାଗଡ଼ ରେଳ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସର ସଫେଇ କାର୍ଯ୍ୟ ପାଇଁ ରେଳ ବିଭାଗ ପକ୍ଷରୁ ଟେଣ୍ଡର ପାଇଥିବା ଠିକାଦାର କର୍ମଚାରୀ ନିଯୁକ୍ତ କରିଥିଲେ l ଏନେଇ କର୍ମଚାରୀ ଅଜିତ ଦୀପ,ମାଧବ ସୁନା,ସନ୍ତୋଷ ରଣା, କରଣ ଦୀପ ଟିଟିଲାଗଡ଼ ରେଳ ବିଭାଗ A R Mଙ୍କ ଠାରେ ସେମାନଙ୍କ ପାଉଣା ହଡପ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି l କର୍ମଚାରୀ ଦୀର୍ଘ 7 ବର୍ଷ ହେଲା ଉକ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି l ହେଲେ ମାସିକ ପାଉଣା ମାତ୍ର 4 ହଜାର ଟଙ୍କା ପ୍ରଦାନ କରାଯାଉଛି l ତାହା ପୁଣି ଏକାଉଣ୍ଟ ବଦଳରେ ନଗଦ ଆକାରରେ ଦିଆଯାଉଛି l କର୍ମଚାରୀଙ୍କ କୌଣସି ପ୍ରୋଭିଡେଣ୍ଟ ଫଣ୍ଡ ସୁବିଧା ମଧ୍ୟ ନାହିଁ l ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ କର୍ମଚାରୀଙ୍କୁ ରେଳ ବିଭାଗ ପକ୍ଷରୁ ପରିଚୟ ପତ୍ର ମଧ୍ୟ ଜାରି ହୋଇଛି l

ଏପରିପ୍ରେକ୍ଷୀରେ କର୍ମଚାରୀଙ୍କ ପାଉଣା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା କଥା l ଏନେଇ କେନ୍ଦ୍ରୀୟ ଶ୍ରମ କମିଶନର ଅନିଲ ଜେନାଙ୍କ ସୂଚନା ମୁତାବକ ସଫେଇ କର୍ମଚାରୀ ଦୈନିକ 504 ଟଙ୍କା ମଜୁରୀ ପାଇବା କଥା l କର୍ମଚାରୀଙ୍କ ବିଧିବଦ୍ଧ ଅଭିଯୋଗ ପରେ ଟିଟିଲାଗଡ଼ ରେଳ ବିଭାଗ ARM ଅଶୋକ ସେଠି ଅଭିଯୋଗର ସତ୍ୟତା ହୃଦୟଙ୍ଗମ ସହ ସେ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରିବେ ବୋଲି କହିଛନ୍ତି l ଘୋଟାଲାର ପର୍ଦ୍ଦାଫାଶ ହେଲେ ଅନେକ ବଡ଼ ମାଛ ଜାଲରେ ପଡିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି l ଟିଟିଲାଗଡ଼ ରୁ ଭବାନୀ ପ୍ରଶାଦ ଷଡ଼ଙ୍ଗୀ ଙ୍କ ରିପୋର୍ଟ
