ମହାକାଳୀ ବେଶରେ ମା’

କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ ସମସ୍ତ ଦିନରେ ମାଁ ଶାନ୍ତ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ କଥା । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ଵା ଆଉ ବଡ଼ ବଡ଼ ଚକ୍ଷୁର କଥା ।କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମାହାକାଳୀ ବେଶରେ ଦର୍ଶନ ଦିଅନ୍ତି । ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ।ମା ଭଦ୍ରକାଳୀ ଆଜି ମହାକାଳୀ ବେଶ ଧାରଣ କରି ଗଳାରେ ନରମୁଣ୍ଡ ମାଳୀ, ହାତରେ ଖଡ଼ଗ ସହ ନୀଳ ବର୍ଣ୍ଣ ରୂପରେ ମା ଦର୍ଶନ ଦେଉଛନ୍ତି । ବିଶ୍ବାସ ରହିଛି ମା ଙ୍କର ଏହି ବେଶ ଦର୍ଶନ କଲେ ଭକ୍ତ ମାନଙ୍କ ପାପ କ୍ଷୟ ହେବାସହ ଦୁଶ୍ଚିନ୍ତା ଦୂର ହୋଇଥାଏ । ମାଁଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି । ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *