ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ

କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ବୁଧବାର ଅବରୋଧ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସହ ପ୍ରାୟ ୮ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ପ୍ରଶାସନ ଓ ବିଏସ୍‌ଏନ୍‌ଏଲ କତ୍ତୃପର୍କ୍ଷଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଏହା ସହ ରାସ୍ତାରେ ଥୋଇଥିବା ପଥର, ଟାୟାର ମଧ୍ୟ କାଢ଼ିଥିଲେ। ପରେ ଉକ୍ତ ରାସ୍ତାରେ ଗାଡ଼ିଚଳାଚଳ ସ୍ବଭାବିକ୍‌ ହୋଇଛି।ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ବିକ୍ଷୋଭକାରୀଙ୍କ ଏକା ଜିଦ୍‌ ତାଙ୍କ ଦାବି ପୂରଣ କରାଗଲେ ହିଁ ସେମାନେ ଆନ୍ଦୋଳନରୁ ଓହରିବେ। ତେବେ ୮ ଘଣ୍ଟା ବିତିବା ପରେ ବିଏସ୍‌ଏନ୍‌ଏଲର ଏସଡିଓ ସୁରେଶ ଚନ୍ଦ୍ରଙ୍କ ସହ ପୋଲିସ ଅଧିକାରୀ କଥା ହୋଇଥିଲେ।ଏସଡିଓ ସେମାନଙ୍କୁ ୩ ଦିନ ମଧ୍ୟରେ ନେଟୱାର୍କ ସକ୍ଷମ କରାଯିବାକୁ ପ୍ରତଶ୍ରୁତି ଦେଇଥିଲେ।ସେହିପରି ଅନ୍ୟ ସମସ୍ୟାର ସମାଧାନ ମଧ୍ୟ ଖୁବ ଶୀଘ୍ର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀ ଆନ୍ଦୋଳନରୁ ଓହରିଛନ୍ତି। ପ୍ରଶାସନ ପ୍ରତିଶ୍ରୁତି ପୂରଣ ନ କଲେ ପୁଣି ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ପ୍ରକାଶ ଯେ,ଦୀର୍ଘ ବର୍ଷ ହେବ ସିକରମାହାଠାରେ ଏକ ସ୍ୟାଟଳାଇଟ୍‌ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲା, ଯାହାକି ପ୍ରତିଦିନ ସମସ୍ୟା ଦେଖା ଦେଉଛି। ଏହା ସହ ଉକ୍ତ ମୋବାଇଲ ଟାୱାରରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ। ଫଳରେ ସ୍ଥାନୀୟ ଲୋକ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରମାଣପତ୍ର ଆବେଦନ କରିବା ସମ୍ଭବ ହେଉ ନ ଥିବା ବେଳେ କିଓସ୍କୋରେ କୌଣସି କାରବାର ହୋଇପାରୁନି। ସେହିପରି ସରକାରଙ୍କ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ପିଏମ କିଷାନ ଯୋଜନା, ଆୟୁଷ୍ମାନ ଯୋଜନା ସମେତ ସାଧାରଣ ବଣ୍ଟନ ସାମଗ୍ରୀ ପାଇବା ପାଇଁଇ କେୱାଇସି ଆଦି କରିବା ସମ୍ଭବ ହେଉନି। ସେହିପରି ଅଧିକାଂଶ ସମୟ ମୋବାଇଲ ନେଟୱାର୍ଜ ମଧ୍ୟ ଅଚଳ ଯୋଗୁ ଯୋଗାଯୋଗ ହୋଇପାରୁନାହିଁ। ଫଳରେ ଆମ୍ବୁଲାନ୍ସ ଡକାଇବା ମୁସ୍କିଲ ହୋଇପଡୁଛି। ଏହାସହ ସିକରମାହା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନାହାନ୍ତି ଓ ପିଇବା ପାଣିର ସମସ୍ୟା ଦେଖାଦେଇଛି।ଏନେଇ ହାତୀମୁଣ୍ଡା ପଞ୍ଚାୟତ ସମେତ ତାଜୁଙ୍ଗିଆ ପଞ୍ଚାୟତର ଏକାଧିକ ଗ୍ରାମବାସୀ ବି.ଏସ.ଏନ.ଏଲ ର ଏସଡ଼ିଓଙ୍କ ସମେତ ସ୍ଥାନୀୟ ଓ ଉପଖଣ୍ଡ ସହ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ରାସ୍ତାରୋକ କରିବାକୁ ଚେତାବନୀ ଦେଇ ପୋଲିସର ଅନୁମତି ମାଗିଥିଲେ ପରେ ପୋଲିସ ଲୋକଙ୍କୁ ରାସ୍ତାରୋକୋ କରିବାକୁ ମନା କରିବା ସହ ବୁଝାସୁଝା କରିଥିଲେ ସୁଦ୍ଧା ଅଞ୍ଚଳବାସୀ ଜିଲାପ୍ରଶାସନକୁ ଅବଗତ କରାଇ ବୁଧବାର ରାସ୍ତାରୋକୋ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ତୀବ୍ର ହେବା ସହ କେହି ଅଧିକାରୀ ପହଞ୍ଚିନାହାନ୍ତି। ରାସ୍ତାରୋକୋ ଯୋଗୁ ଛାତ୍ରୀଛାତ୍ରଙ୍କ ବୃତ୍ତି ପରୀକ୍ଷା ସହ ବିଦ୍ୟାଳୟ ଯାତାୟାତରେ ସମସ୍ୟା ଦେଖାଯିବା ସହ ୨ ପାଖେ ଏକାଧିକ ଯାତ୍ରୀବାହୀ ବସ ସହ ଅନ୍ୟ ଗାଡି ଅଟକି ରହିଥିଲା।

Leave a Reply

Your email address will not be published. Required fields are marked *