ନବଯଉବନ ବେଶ
ନବଯଉବନ ବେଶ
ଡ. ପ୍ରେମାନନ୍ଦ ବେହେରା
ନବଯଉବନ ରୂପରେ, ଆସିଛି କାଳିଆ
ନବଯଉବନ ବେଶରେ, ଆସିଛି କାଳିଆ
ନୀଳାଚଳ ଧାମ ଆଜି ହସେରେ…
ଭକ୍ତର ହୃଦୟ, ଭରି ଯାଏ ଭକ୍ତିରେ…
ଜୟ ଜଗନ୍ନାଥ ଧ୍ୱନି ଉଠେ ସବୁଠାରେ
ଦିଶୁଅଛି ଜଗା, ସତେ କି ସୁନ୍ଦର
ନବଯଉବନ ରୂପରେ
ନବଯଉବନ ବେଶରେ ।।
ଚନ୍ଦନ ଚନ୍ଦନ, ବାସୁଅଛି ଆଜି
ପବିତ୍ର ଏହି ଶ୍ରୀ ମନ୍ଦିର
ଚକା ଆଖିରେ ତା, ନୂଆ ଝଲକ
ସ୍ନେହର ଆଲୋକ ଝରେ,
ଦର୍ଶନ ଦେଇ ହସେ ଖିଲି ଖିଲି
ମନର ଦୁଃଖକୁ ହରେ…
ଦିଶୁଅଛି ଜଗା, ସତେ କି ସୁନ୍ଦର
ନବଯଉବନ ରୂପରେ
ନବଯଉବନ ବେଶରେ ।।
ଘଣ୍ଟ ନାଦେ ଭକ୍ତ ଗାଆନ୍ତି ଗୀତ
ଅମୃତ ନାମ ତୋହର
ଝଟକୁଛି କଳାମୁଖେ ଚକାଆଖି
ନବ ରୂପରେ ଠାକୁର
ଯେତେ ଦେଖିଲେବି ମନ ଭରୁନାହିଁ
ହଜି ଯାଉଛି ତା ଭକ୍ତିରେ
ଦିଶୁଅଛି ଜଗା, ସତେ କି ସୁନ୍ଦର
ନବଯଉବନ ରୂପରେ
ନବଯଉବନ ବେଶରେ ।।
ତିନି ରଥ ସଜ ହୋଇ ସାରିଲେଣି
ରହିଛନ୍ତି ବଡ଼ଦାଣ୍ଡରେ
ସାରା ଜଗତର ଭକ୍ତ ଆସିଛନ୍ତି
ଦେଖିବେ ତତେ ରଥରେ
ଏହି ଜନମରୁ ମୁକ୍ତି ଲଭିଯିବେ
ଶରଣ ନେଇ ତୋ ପାଦରେ
ଦିଶୁଅଛି ଜଗା, ସତେ କି ସୁନ୍ଦର
ନବଯଉବନ ରୂପରେ
ନବଯଉବନ ବେଶରେ ।।
ପଦ୍ମପୁର, ବରଗଡ଼
