ନବରଙ୍ଗପୁର ଜିଲ୍ଲାରେ ଗଭୀର ଅବପାତ
ନବରଙ୍ଗପୁର ଜିଲ୍ଲାରେ ଗଭୀର ଅବପାତ
ଜିଲ୍ଲାପ୍ରଶାସନ ଦ୍ୱାରା ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ଜୋରଦାର
ନବରଙ୍ଗପୁର, ୨୫ ସେପ୍ଟେମ୍ବର ୨୦୨୬:
ଗଭୀର ଅବପାତ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ଜନସ୍ଥାନାନ୍ତରଣ, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

ପ୍ରାଥମିକ ଆକଳନ ଅନୁଯାୟୀ, ଜିଲ୍ଲାର ୨୯ଟି ଗ୍ରାମପଞ୍ଚାୟତ/ୱାର୍ଡ ଅନ୍ତର୍ଗତ ୭୧ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରାୟ ୧୮,୮୧୮ ଜଣ ଜନସାଧାରଣ ପ୍ରଭାବିତ ହୋଇଥିବାବେଳେ ୫,୦୩୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୨୩ଟି ଆଶ୍ରୟସ୍ଥଳୀ ଓ ୨୪ଟି ମାଗଣା ରୋଷେଇ କେନ୍ଦ୍ର ମାଧ୍ୟମରେ ରିଲିଫ୍ ବ୍ୟବସ୍ଥା କରାଯାଇଛି।
ପ୍ରାଥମିକ ଆକଳନ ଅନୁଯାୟୀ ୧୩୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ବିସ୍ତୃତ ଆକଳନ ଜାରି ରହିଛି।
ଏହିକ୍ରମରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ତଥା ସରକାରଙ୍କ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପାଇଁ ନିୟୋଜିତ ଅଧିକାରୀ ଶ୍ରୀ ଅମୀୟ କୁମାର ସାହୁ ଆଜି ସାନ ଦହିଭଟା, ବଡ ଦହିଭଟା,ନବରଙ୍ଗପୁର ଏବଂ ପୌରାଞ୍ଚଳ ସହ କେତେକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପ, ଜନସ୍ଥାନାନ୍ତରଣ, ରିଲିଫ୍ ବ୍ୟବସ୍ଥା ଓ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।
ସେ କହିଥିଲେ ଯେ, ଜିଲ୍ଲାର ସମ୍ବେଦନଶୀଳ ଓ ତଳିଆ ଅଞ୍ଚଳ ଉପରେ ପ୍ରଶାସନର ନିରନ୍ତର ନଜର ରହିଛି। ଆବଶ୍ୟକତା ଅନୁଯାୟୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ଜରୁରୀକାଳୀନ ସେବା ସୁନିଶ୍ଚିତ କରାଯାଉଛି।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଦହଣା–ଡଙ୍ଗରଭେଜା ରାସ୍ତା, ଆଉଲିଗୁମ୍ମା ସେତୁ, ଉଶୁରିପଦର ଗ୍ରାମ ସେତୁ, ନବରଙ୍ଗପୁର–ପାପଡ଼ାହାଣ୍ଡି ରାସ୍ତାର ଭାରତମାଳା ଓଭରବ୍ରିଜ୍, ଚିର୍ମା–କୋଷାଗୁମୁଡ଼ା ରାସ୍ତା, ବି.ଗୁମୁଡ଼ଲି–ସାନମ୍ବଡ଼ା–ମୁସିଗାଁ ରାସ୍ତା, ଜଟାବାଲଠାରେ ଡାଇଭର୍ସନ୍ ରାସ୍ତା, ବେହେଡ଼ା ରାସ୍ତା ଆଦି ସ୍ଥାନରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ପାଲିଆଠାରେ ଅସ୍ଥାୟୀ ସେତୁ ଭୁଶୁଡ଼ି ପଡ଼ିଥିବା ମଧ୍ୟ ରିପୋର୍ଟ ହୋଇଛି। ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସମନ୍ୱୟ କରି ରାସ୍ତା ଓ ସେତୁର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।
ଡାବୁଗାଁ ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ ରହିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସତର୍କ ରହିବା, ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି ନିରନ୍ତର ନିରୀକ୍ଷଣ କରିବା, ଆବଶ୍ୟକ ସ୍ଥଳେ ଜନସ୍ଥାନାନ୍ତରଣ କରିବା ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରିତ ଭାବେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଜଳମଗ୍ନ ରାସ୍ତା, ସେତୁ ଓ ବିପଦସଙ୍କୁଳ ସ୍ଥାନ ଦେଇ ଅନାବଶ୍ୟକ ଯାତାୟାତ ନକରିବା, ପ୍ରଶାସନର ଅଧିକୃତ ସତର୍କ ସୂଚନା ପାଳନ କରିବା ଏବଂ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ଟିପ୍ପଣୀ: ଉପରୋକ୍ତ ତଥ୍ୟ Deep Depression-2026 ର ପ୍ରାଥମିକ ରିପୋର୍ଟ ଉପରେ ଆଧାରିତ। କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ବିସ୍ତୃତ କ୍ଷୟକ୍ଷତି ଆକଳନ ପରେ ତଥ୍ୟରେ ପରିବର୍ତ୍ତନ ହୋଇପାରେ।
