ସିଂହାରପାଳ ହେବ ୟୁନେସ୍କୋ ସୁନାମୀ ପ୍ରସ୍ତୁତି ଗାଁ ; ପ୍ରସ୍ତୁତି ପରଖିଲେ କେନ୍ଦ୍ରୀୟ ଟିମ୍

ସିଂହାରପାଳ ହେବ ୟୁନେସ୍କୋ ସୁନାମୀ ପ୍ରସ୍ତୁତି ଗାଁ ; ପ୍ରସ୍ତୁତି ପରଖିଲେ କେନ୍ଦ୍ରୀୟ ଟିମ୍ ।

କାକଟପୁର,୨୭.୦୯- ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ସିଂହାରପାଳରେ ସୁନାମୀ ପ୍ରସ୍ତୁତି ପରଖିଲେ କେନ୍ଦ୍ରୀୟ ଟିମ୍ । ଏନେଇ ବ୍ଳକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଡ଼ିଓ ନାରାୟଣ ଦିକ୍ଷୀତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚେନ୍ନାଇ ସ୍ଥିତ ଭାରତ ସରକାରଙ୍କ ଇନକୋଇସ ପକ୍ଷରୁ ବୈଜ୍ଞାନିକ ଡଃ ବି ଅଜୟ କୁମାର, ବୈଜ୍ଞାନିକ ଡଃ ପତଞ୍ଜଳି କୁମାର କେନ୍ଦ୍ରୀୟ ପ୍ରତିନିଧି ଭାବେ ଆସି ପହଞ୍ଚିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଏମର୍ଜେନ୍ସି ଉପ ଜିଲ୍ଲାପାଳ ଅନୁଶ୍ରବ ଗନ୍ତାୟତ, ଓସଡମା ଜିଏମ ଅମ୍ବିକା ପ୍ରାସାଦ ମିଶ୍ର, ଡିପିଓ ମାନସ କୁମାର ସ୍ବାଇଁ, ଅଶୋକ କୁମାର ରଥ, ଜିପିଡିଓ ରଞ୍ଜନ ବେହେରା ଓ ସରପଞ୍ଚ ଲକ୍ଷ୍ମୀପ୍ରିୟା ସେଣ ପ୍ରମୁଖ ଉପସ୍ଥିତ ଥିଲେ। ସିଂହାରପାଳର ଗ୍ରାମବାସୀ ଓ ମହିଳା ମାନେ କେନ୍ଦ୍ରୀୟ ଟିମ୍ ସଦସ୍ୟ ମାନଙ୍କୁ ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ମହିଳା ସଙ୍କୀର୍ତ୍ତନ , ବାଜା, ଶଙ୍ଖ ଓ ହୁଳହୁଳି ପକାଇ ବହୁମୁଖି ଆଶ୍ରୟ ସ୍ଥଳୀ ନିକଟକୁ

ପାଛୋଟି ନେଇଥିଲେ। ସେଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ସେଠାରେ ଉପସ୍ଥିତ ଅତିଥି ମାନେ ସୁନାମୀ ପ୍ରସ୍ତୁତି ପରଖିଥିଲେ। ଆପଦ ମିତ୍ର ଓ ସ୍ୱେଚ୍ଛାସେବୀ ମାନଙ୍କ ସହ ଗ୍ରାମର ମହିଳା, ଯୁବତୀ ଓ ଲୋକମାନେ ସୁନାମୀ ଆସିଲେ କିପରି ସଚେତନ କରାଇବେ, ସଧାରଣ ବ୍ୟକ୍ତି, ବୃଦ୍ଧ ବୃଦ୍ଧା, ଶିଶୁ ଓ ଗର୍ଭବତୀଙ୍କ ସହ କିପରି ଧନ ଜୀବନ ରକ୍ଷା କରିପାରିବେ ତାହାର ପୂର୍ବ ପ୍ରସ୍ତୁତିର ବିଭିନ୍ନ ଡେମୋ ଦେଖିଥିଲେ। ପାଲା ମାଧ୍ୟମରେ ମଧ୍ୟ ସୁନାମୀ ସଚେତନ କରାଯାଇଥିଲା। ସ୍ବେଚ୍ଛାସେବୀ ମାନେ ସୁନାମୀ ପ୍ରସ୍ତୁତି, ସୁରକ୍ଷାର ସମସ୍ତ କଳା ପ୍ରଦର୍ଶନ କରିଥିଲେ। ଯାହାକୁ ଦେଖି କେନ୍ଦ୍ରୀୟ ଟିମ୍ ଖୁସିବ୍ୟକ୍ତ ହୋଇଥିଲେ। ସୁନାମୀ ସଚେତନ ହୋଇ ନିଜ ଜୀବନ ସହ ଅନ୍ୟକୁ ବଞ୍ଚାଇବା ପ୍ରସ୍ତୁତି ସଫଳ କାମ ଦେଇଛି। ସିଂହାରପାଳ ଗ୍ରାମକୁ ୟୁନେସ୍କୋ ତରଫରୁ ସୁନାମୀ ପ୍ରସ୍ତୁତି ଗ୍ରାମ୍ୟ ଭାବେ ମାନ୍ୟତା ପ୍ରଦାନ କରାଯିବ ବୋଲି ଅତିଥି ମାନେ ସନ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଶା ଏନଜିଓ ସ୍ୱେଚ୍ଛାସେବୀ ଅନୂଷୟା ପରିଡ଼ା, ପିଇଓ କହ୍ନେଇ ଚରଣ ପ୍ରଧାନ, ଏଡିଇଓ ଚନ୍ଦ୍ରକାନ୍ତ ପରିଡ଼ା, ସେଲ୍ଟର ସମ୍ପାଦକ ଶଶିଭୂଷଣ ପ୍ରଧାନ, ସମାଜସେବୀ ଲକ୍ଷ୍ମୀନାରାୟଣ ଜେନା, ଶିକ୍ଷକ ତ୍ରିଲୋଚନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ବ ସ୍ଥାନୀୟ ଗ୍ରାମବାସୀ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *