ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ
ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ
ସ୍ଥାନ: ନୟାଗଡ଼, ତାରିଖ: ୩୦ ଅଗଷ୍ଟ ୨୦୨୬
ଜିଲ୍ଲା ପ୍ରଶାସନ, ନୟାଗଡ଼ ପକ୍ଷରୁ ଆଜି ପ୍ରାତଃ ୭ ଟା ସମୟରେ ନୟାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ର ତୃତୀୟ ଦିନ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ଆଦି ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥ ଜିଲ୍ଲାରେ କ୍ରୀଡ଼ାର ପ୍ରସାର, ଶାରୀରିକ ସୁସ୍ଥତାର ବିକାଶ ଏବଂ ସମସ୍ତ ବୟସ ବର୍ଗର ନାଗରିକଙ୍କୁ କ୍ରୀଡ଼ା ଓ ଶାରୀରିକ କ୍ରିୟାକଳାପରେ ଅଧିକ ସକ୍ରିୟ ଭାବେ ସାମିଲ ହେବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଯୁବପିଢ଼ି କ୍ରୀଡ଼ା ପ୍ରତି ଅଧିକ ଆଗ୍ରହୀ ହେବା ସହିତ ନିଜ ଦୈନନ୍ଦିନ ଜୀବନରେ ଶାରୀରିକ ବ୍ୟାୟାମ ଓ କ୍ରୀଡ଼ାକୁ ଅଭିନ୍ନ ଅଂଶ ଭାବେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ନୟାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରଯାଇଥିଲା। ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ସାମ୍ବାଦିକ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଅଂସଗ୍ରହଣ କରିଥିଲେ।
ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ, ଓଡିଶାଙ୍କ ସଂଯୁକ୍ତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ କ୍ରୀଡ଼ାର ପରିବେଶକୁ ଅଧିକ ସୁଦୃଢ଼ କରିବା ସହିତ ସମସ୍ତ ବର୍ଗର ନାଗରିକଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, କ୍ରୀଡ଼ା ପ୍ରତି ଆଗ୍ରହ ଓ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା। ଶେଷରେ, ଅଂଶଗ୍ରହଣକାରୀ ଏବଂ ଅତିଥି ମାନଙ୍କ ନିମନ୍ତେ ଜଳପାନର ବ୍ୟବସ୍ଥା କରଯାଇଥିଲା।
ଏହି କାର୍ଯ୍ୟକ୍ରମଟିକୁ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ସୁପରିଚାଳନା କରିଥିଲେ|
