ନୂତନ ରକ୍ତଦାତା ସୃଷ୍ଟି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ ନାୟକ
ଭଞ୍ଜନଗର :-୧୮/୧୦ ରକ୍ତଦାନ କରିବା ନିମନ୍ତେ ବ୍ୟାପକ ସଚେତନ କରାଯାଉଥିଲେ ମଧ୍ୟ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନୂତନ ରକ୍ତଦାତା ସୃଷ୍ଟି କରିବା ଆବଶ୍ୟକ ବିଶେଷ କରି ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଅପେକ୍ଷାକୃତ ଭାବେ ବହୁତ କମ୍ ରହିଥିବାରୁ ବିଭିନ୍ନ ରକ୍ତଦାନ ଶିବିର ସମୟରେ ଅଧିକରୁ ଅଧିକ ମହିଳା ମାନଙ୍କୁ ଏହି ରକ୍ତଦାନରେ ସାମିଲ କରିବା ପାଇଁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଳନ ଅବସରରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥି ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କ ସଂଖ୍ୟ କିଭଳି ବଢିବ ସେଦିଗରେ ପଦକ୍ଷେପ ନେବା ସହ ରକ୍ତକେନ୍ଦ୍ରର କିଭଳି ଉନ୍ନତି ସାଧିତ ହୋଇ ପାରିବ ସେହି ଦିଗକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଥିଲେ। ନଗରପାଳ ଗୋପବନ୍ଧୁ ମହାପାତ୍ର,ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ଆଇଆରବି କମାଣ୍ଡେଣ୍ଟ୍ ଲଲିତ କୁମାର ବାଘ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗରୀବ ଅସହାୟ ରୋଗୀ ମାନଙ୍କୁ ସହାୟତା କରିବା ପାଇଁ ନିୟମିତ ରକ୍ତଦାନ ଶିବିର ଆୟୋଜନ କରିବା ଜରୁରୀ ବୋଲି ଅତିଥି ମାନେ କହିଥିଲେ। ଏହାକୁ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ। ଏଥିରେ ସମ୍ବାଦ ଆମ ଓଡିଶା,ବିପଦର ବନ୍ଧୁ,ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ,ଉତ୍କଳ ସାମ୍ବାଦିକ ସଂଘ ଭଳି ୪୦ ଟି ସଙ୍ଗଠନକୁ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୁରେନ୍ଦ୍ର ମହାପାତ୍ର,ବିପିନ କୁମାର ପାଣିଗ୍ରାହୀ,ନାରାୟଣ ବେହେରା ପରିଚାଳନାରେ ସହଯୋଗ କରିଥିଲେ।
