ଚଳିତବର୍ଷ ଆରମ୍ଭ ହେବ ‘ଏକାମ୍ର ବାଲିଯାତ୍ରା’ ମହୋତ୍ସବ

ଚଳିତ ବର୍ଷ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀ ପଠାରେ ନୂଆ କରି ‘ଏକାମ୍ର ବାଲିଯାତ୍ରା ଓ ବୋଇତ ବନ୍ଧାଣ ଉତ୍ସବ’ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ବାଙ୍କୁଆଳ ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜନ କରାଯାଉଛି । ଏହାକୁ ସଫଳ କରିବା ଲାଗି କମିଟି ଜନସାଧାରଣଙ୍କୁ ଅନୁରୋଧ କରିଛି ।ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ, ଦୀର୍ଘଦିନ ହେଲା ବାଙ୍କୁଆଳ ସମେତ ଆଖପାଖ ଗାଁ ଲୋକେ କୂଆଖାଇର ବାଙ୍କୁଆଳ ନଦୀପଠାରେ ଏକ ବାଲିଯାତ୍ରାର ଆୟୋଜନ କରିବାକୁ ପ୍ରସ୍ତାବ ଦେଉଥିଲେ । ମାତ୍ର କୌଣସି ନା କୋଣସି କାରଣ ବସତଃ ଏହା ସମ୍ଭବ ହୋଇପାରୁନଥିଲା । ଚଳିତ ବର୍ଷ କିନ୍ତୁ, ଏକାମ୍ର ବାଲିଯାତ୍ରା ମହୋତ୍ସବ ହେବାକୁ ନିଷ୍ପତ୍ତି ନିଆଯାଇଛି ।ଚଳିତ ବର୍ଷ ଏହି ବାଲିଯାତ୍ରା ପ୍ରଥମ କରି ଆରମ୍ଭ ହେଉଛି । ଆସନ୍ତା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ଏଥର ୩୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ସାମଗ୍ରୀ ସହ ମୀନାବଜାର, ରାମଦୋଳିର ବ୍ୟବସ୍ଥା ରହିଛି । ବିଶେଷ କରି ଆଦିବାସୀ ଅଞ୍ଚଳର ସାମଗ୍ରୀ ଓ ଏସଏଚଜି ଗ୍ରୁପର ହାତ ତିଆରି ଜିନିଷର ଷ୍ଟଲ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ଲୋକଙ୍କ ମନୋରଂଜନ ଲାଗି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସେଲିବ୍ରେଟିମାନଙ୍କୁ ଆମନ୍ତ୍ରଣ କରାଯିବ । ଯାହା ଲୋକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ । ଏଥିସହିତ ପିଲାମାନେ ବାଲି ଉପରେ ଓଟ ପିଠିରେ ବସିବାର ମଜା ମଧ୍ୟ ନେଇପାରିବେ ।ତେବେ ବାଲିଯାତ୍ରା ଲାଗି ଅନେକ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏଥିପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗାଡି ପାର୍କିଂ ଠାରୁ ଆରମ୍ଭ କରି ଲୋକଙ୍କ ସୁରକ୍ଷା ଲାଗି କମିଟି ସମସ୍ୟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । କମିଟିର ସଦସ୍ୟମାନେ ପୋଲିସ ପ୍ରଶାସନକୁ ସହଯୋଗ କରିବେ । ଏଥିସହିତ ଟ୍ରାଫିକ ସମସ୍ୟା ଉପୁଜିବା ସମ୍ଭାବନା ଥିବାରୁ ପୋଲିସ ସହଯୋଗ ଲୋଡିବୁ ଓ ସେମାନଙ୍କୁ କମିଟି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ଏହି ବାଲିଯାତ୍ରା ଯେପରି ସାରା ରାଜ୍ୟରେ ପ୍ରସିଦ୍ଧଲାଭ କରିବ, ସେନେଇ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀସ୍ୱାଇଁ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଆନନ୍ଦ ବିଶ୍ୱାଳ, ଉପ-ସଭାପତି ନିରୋଧ ସ୍ୱାଇଁ, ସାଧାରଣ ସମ୍ପାଦକ ହାଡିବନ୍ଧୁ ସ୍ୱାଇଁଙ୍କ ସମେତ ବାଙ୍କୁଆଳ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଓ ଏକାମ୍ର ବାଲିଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *