ଓଲିଉଡ଼ରେ ନୂଆ ଅଧ୍ୟାୟ : ‘ଜଙ୍ଗଲ ରାଜ’ରେ ଦମଦାର ଭୂମିକାରେ ଅଜୟ ମହାନ୍ତି
ଓଲିଉଡ଼ରେ ନୂଆ ଅଧ୍ୟାୟ : ‘ଜଙ୍ଗଲ ରାଜ’ରେ ଦମଦାର ଭୂମିକାରେ ଅଜୟ ମହାନ୍ତି l ଓଲିଉଡ଼ ଜଗତର ଜଣାଶୁଣା ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର, ଗାୟକ ଓ ଅଭିନେତା ଅଜୟ ମହାନ୍ତି ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ। ଖୁବ୍ ଶୀଘ୍ର ସେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜଙ୍ଗଲ ରାଜ’ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖରେ ଆସୁଛନ୍ତି। ସନ୍ ମ୍ୟୁଜିକ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରୁଛନ୍ତି ଶ୍ରୀକାନ୍ତ ଗୌତମ ଓ ନିର୍ଦ୍ଦେଶନା ଦେଉଛନ୍ତି ‘ଓଁ ନମଃ ଶିବାୟ’ ଫେମ୍ ରବୀନ୍ଦ୍ର ପ୍ରଧାନ।ଏହି ସିନେମାରେ ଅଜୟ ମହାନ୍ତି ଜଣେ ହୋଲସେଲ୍ ଦୋକାନୀଙ୍କ ଭୂମିକାରେ ନଜର ଆସିବେ। ଚରିତ୍ରଟି ସାଧାରଣ ହେଲେ ମଧ୍ୟ ଗଳ୍ପରେ ଏହାର ଗୁରୁତ୍ଵ ଅଧୂକ ଥିବା କୁହାଯାଉଛି। ଦୀର୍ଘଦିନ ଧରି ସଙ୍ଗୀତ ଓ ନିର୍ଦ୍ଦେଶନାରେ ସଫଳତା ଲାଭ କରିଥିବା ଅଜୟ ଏବେ ଅଭିନୟରେ ମଧ୍ୟ ନିଜ ଦକ୍ଷତା ପ୍ରମାଣ କରୁଛନ୍ତି।

ଏହା ତାଙ୍କର ପ୍ରଥମ ଅଭିନୟ ନୁହେଁ। ପୂର୍ବରୁ ସେ ନିଜ ପ୍ରଯୋଜିତ ‘ନଈ ସେପାରି କନକଗୋରୀ’ ଓ ‘ଅପରାହ୍ନର ସୂର୍ଯ୍ୟ ଭଳି ଚଳଚ୍ଚିତ୍ରରେ ସ୍ମରଣୀୟ ଭୂମିକା ପାଳନ କରିଥିଲେ। ଦର୍ଶକଙ୍କ ପ୍ରଶଂସା ପାଇବା ପରେ ଏବେ ସେ ଆଉ ଅଧୂକ ଶକ୍ତିଶାଳୀ ଚରିତ୍ର ନେଇ ପରଦାକୁ ଫେରୁଛନ୍ତି।ଅଜୟ ମହାନ୍ତି କହିଛନ୍ତି, “ଭଲ କାହାଣୀ ଓ ପ୍ରଭାବଶାଳୀ ଚରିତ୍ର ମିଳିଲେ ମୁଁ ଆଗକୁ ମଧ୍ୟ ଅଭିନୟ ଜାରି ରଖୁବି। ଦର୍ଶକଙ୍କ ଭଲପାଇବା ମୋର ସବୁଠାରୁ ବଡ଼ ପ୍ରେରଣା।”ଓଲିଉଡ଼ରେ ଏବେ କନ୍ସେଣ୍ଟ ଭିତ୍ତୀକ ସିନେମାର ଚାହିଦା ବଢ଼ୁଥିବା ବେଳେ ‘ଜଙ୍ଗଲ ରାଜ’ କେତେ ଦୂର ଦର୍ଶକଙ୍କ ମନ ଜିତିପାରିବ, ସେନେଇ ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।
