ଆର.ଡି ପିଚୁ ରାସ୍ତା କୁ କାଦୁଅ କରୁଛି ଧାନକଟା ମେସିନ୍ ଓ ଟ୍ରାକ୍ଟର, ଯାତାୟାତ ବାଧାପ୍ରାପ୍ତ, ଲୋକେ ହୀନସ୍ତା

ଆର.ଡି ପିଚୁ ରାସ୍ତା କୁ କାଦୁଅ କରୁଛି ଧାନକଟା ମେସିନ୍ ଓ ଟ୍ରାକ୍ଟର, ଯାତାୟାତ ବାଧାପ୍ରାପ୍ତ, ଲୋକେ ହୀନସ୍ତା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଁଳାଗୁଡା ଠାରୁ ଗମ୍ଭାରୀଗୁଡା,ଚିକିଲି କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କିଛିବର୍ଷ ତଳେ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। ତେବେ ଚିକିଲି ଦେଇ ତୁନଗାଁ ରାସ୍ତାରେ ରହିଥିବା ଚାଷଜମି ରେ ରବି ଧାନ ଅମଳ ସମୟରେ କିଛି ମାଲିକ ନିଜର ସ୍ୱାର୍ଥ ସାଧନ ପାଇଁ ଧାନ କଟା ମେସିନ୍ (ହାରବେଷ୍ଟର) ଓ ଟ୍ରାକ୍ଟର କୁ ରାସ୍ତାରେ କାଦୁଅ ସଫା ନ କରି ଓ କଟକଣା କୁ ନମାନୀ ଚଳାଇବା ଫଳରେ ପରସ୍ତ ପରସ୍ତ କାଦୁଅ ରାସ୍ତା ପଡି ପିଚୁ ରାସ୍ତା କୁ ନଷ୍ଟ କରିବା ସହ ଲୋକଙ୍କ ଯାତାୟାତ ରେ ଅସୁବିଧା ଓ ଦୁର୍ଘଟଣା ର କାରଣ ସାଜିଛି।ଗତ ରବି ଧାନ ଚାଷ ସମୟରେ ତୁନଗାଁ-ଚିକିଲି ରାସ୍ତାରେ ଟ୍ରାକ୍ଟର ଓ ହାରବେଷ୍ଟର ମେସିନ ଗୁଡ଼ିକ କ୍ଷେତରେ କାମ ସାରିବା ପରେ କାଦୁଅ ସଫା ନକରି ଗାଡି ଗୁଡ଼ିକ ରାସ୍ତାରେ ଗଡ଼ାଇ ଥିବାରୁ କାଦୁଅ ପଡ଼ି ସୁଖି ଯାଇଛି। ଯାହା ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପିଚୁ ରାସ୍ତାଟି ବର୍ତ୍ତମାନ ମାଟି ରାସ୍ତା ପରି ମନେହୋଇଛି। ଏବେ ବର୍ଷା ଆରମ୍ଭ ହୋଇଥିବାବେଳେ ରାସ୍ତା ସାରା କାଦୁଅ ପଚ୍ ପଚ୍ ହୋଇ ସାଇକେଲ କି ବାଇକ୍ ଗଡିବା ତ’ ଦୂରର କଥା ପାଦଚଲା ମଧ୍ୟ କଷ୍ଟ ହୋଇପଡିଛି। ଏଣେ ଯିବା ଆସିବା କରିବା ସମୟରେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣା ଘଟିବା ଏକ ପ୍ରକାର ଥୟ। ରାସ୍ତାରେ କାଦୁଅ କରିଥିବା ଗାଡ଼ି ମାଲିକ ମାନଙ୍କୁ ସ୍ଥାନୀୟ ଲୋକେ ଅନେକ ଥର ମନା କରିଥିଲେ ମଧ୍ୟ କେହି କଥା ମାନି ନଥିଲେ। ବର୍ତ୍ତମାନ ଏହି ରାସ୍ତାରେ କାଦୁଅ ଜମି ରହିଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଏହି ରାସ୍ତା ତୁନଗାଁଠାରୁ ଚିକିଲି ଭାୟା ଗମ୍ଭାରୀଗୁଡା ଦେଇ କୋକସରାକୁ ସଂଯୋଗ କରୁଛି। ଯଦି କୈାଣସି କାମ ପାଇଁ ତୁନଗାଁ, ଧନସାରା ଓ କାଶୀବାହାଲ ଅଞ୍ଚଳର ଲୋକେ କୋକସରା ଆସିବାକୁ ହେଲେ ୮ କିମି ବଦଳରେ ୧୫ କିଲୋମିଟର ଦୂର ବୁଲି ଯିବାକୁ ପଡୁଥିବା ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାରେ କାଦୁଅ କରୁଥିବା ଗାଡ଼ି ମାଲିକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *