ବର୍ଷେ ଗଲାନି ତଳିପକା କାମ।
ଲକ୍ଷାଧିକ ଟଙ୍କା ଚଳୁ। ପୁଣି ଚାଲିଛି ତଳି ପକା।ନିମାପଡା (ନିବେଦିତା ତୀର୍ଥକ୍ଷେତ୍ର ) ବର୍ଷେ ଗଲାନି ତଳିପକା କାମ। ଲକ୍ଷାଧିକ ଟଙ୍କା ଚଳୁ ପରେ ପୁଣି ଚାଲିଛି ତଳି ପକା କାର୍ଯ୍ୟ ସୂଚନା ମୁତାବକ ନିମାପଡା ଜଳସେଚନ ବିଭାଗ ଦ୍ୱାରା ଗତ ବର୍ଷ ଦଶହରା ପୂର୍ବରୁ ଡେଲଟା ଛକ ଠାରୁ ଜୟଗୁରୁ ଆଶ୍ରମ ଛକ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତାରେ ତଳିପକା କାମ କରାଯାଇଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଥିଲା।ତେବେ ବର୍ଷେ ନ ପୂରୁଣୁ ପ୍ୟାଚ ସବୁ ଉଠିଯାଇଥିବା ବେଳେ ବଡ଼ ଗର୍ତ୍ତ ସବୁ ହୋଇ ଯାଇଛି।ଏବେ ପୁଣି ତା ଉପରେ ଚାଲିଛି ତଳି ପକା। ଏହି କେନାଲ ବନ୍ଧ ରାସ୍ତା ନିର୍ମାଣ ନିମ୍ନ ମାନର ହୋଇ ଥିବାରୁ ଅଳ୍ପ ଦିନ ମଧ୍ୟରେ ରାସ୍ତା ଖାଲ ଖମା ହୋଇ ଯାଇଥିଲା। ତା ପରେ ଆରମ୍ଭ ହୋଇ ଯାଇଛି ତଳି ପକା କାମ।ଏହି କେନାଲ ବନ୍ଧ ରାସ୍ତା ଏବେ ଜଳ ସେଚନ ବିଭାଗ ଠିକାଦାରଙ୍କ ଲେଉଟିଆ କିଆରି ପାଲଟିଛି। ମେଣ୍ଟାଲ କିଛି ପକାଯାଇ ପ୍ୟାଚ ପଡୁଛି। ପୁଣି କିଛି ଦିନ ପରେ ରାସ୍ତା ଯେଉ ଅବସ୍ଥାକୁ ସେହି ଅବସ୍ଥା। ବର୍ଷା ଦିନ ଚାଲି ଥିବାରୁ ଖାଲରେ ପାଣି ପଶି ଖାଲ ଜଣା ପଡ଼ୁ ନ ଥିବାରୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। ଏହି ରାସ୍ତାଟି ନିମାପଡାର ମୁଖ୍ୟ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ନିମାପଡା କୋର୍ଟ କଲେଜ ବିଦ୍ୟାଳୟକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତେକ ଦିନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାତାୟତ କରି ଥାଆନ୍ତି। ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ ହୋଇଥିବା ବେଳେ ଏହି ରାସ୍ତା ଠିକାଦାରଙ୍କ ଲେଉଟିଆ କିଆରି ପାଲଟି ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି
