ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳି ଥାନା ସମରଝୋଳ ଛକ ନିକଟ ଗହିର ବିଲ ମଧ୍ୟରେ ସୋମବାର ହିଞ୍ଜିଳି ପୁଲିସ ଜଣେ ବିବାହିତ ଯୁବକର ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୫ କେଉଟସାହି ବାସିନ୍ଦା ବିପ୍ରଚରଣ ବେହେରାଙ୍କ ପୁଅ ଟିକି ବେହେରା ୩୦ । ସୂଚନା ଅନୁଯାୟୀ , ସମରଝୋଳ ଛକନିକଟ ଗହିର ବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା କେତେକ ଲୋକେ ସୋମବାର ହିଞ୍ଜିଳି ପୁଲିସ କୁ ଖଵର ଦେଇଥିଲେ।

ଖବର ପାଇ ହିଞ୍ଜିଳି ଏସ ଆଇ ସୁନିଲ କଣ୍ଡଗୋରି ଓ ଟିମ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିଲେ। ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଓ ଏକ ଅପମୃତ୍ୟୁ ମାମଲା କେଶ ନଂ -୨୪/୨୪ ରୁଜୁ କରିଛି ହିଞ୍ଜିଳି ପୋଲିସ। ମଙ୍ଗଳବାର ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୁଚନା ।ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।
