ରାଜପୁର ଡକାୟତି ଘଟଣାର ଫର୍ଦଫାସ କଲା ପୋଲିସ ୫ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି ,୭/୮: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେଗତ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଗ୍ରାମର ବୈଶାନର ନାଏକ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ୧୦ ରୁ ଉର୍ଦ୍ଧ୍ୱ ଡକାୟତ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଳାହାଣ୍ଡି ଏସପି ଅଭିଲାସ ଜି ଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଏହାର ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୭୦ ହଜାର ଟଙ୍କା,ସୁନା ହାର,ମଙ୍ଗଳସୁତ୍ର ଓ ୫ ଟି ମୋବାଇଲ ଜବତ କରିଛି। ଏ ନେଇ ଜୁନାଗଡ଼ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ କଳାହାଣ୍ଡିର ଓ ୨ ଜଣ ନବରଙ୍ଗପୁର ଜିଲାର ହୋଇଥିବାବେଳେ ଏହି ଡ଼କାୟତି ଘଟଣାରେ ଆହୁରି ମଧ୍ୟ ୮ ଜଣ ରହିଥିବା ସେ କହିଛନ୍ତି। ସେହିପରି ଏହି ଗ୍ୟାଙ୍ଗ ଜିଲାର ଜୟପାଟଣା ଥାନା ରାଜାମୁଡା ଗ୍ରାମରେ ହୋଇଥିବା ଡ଼କାୟତ ଘଟଣାରେ ମଧ୍ୟ ସାମିଲ ଥିବା ଏସଡିପିଓ ବେହେରା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ,ଜୟପାଟଣା ଆଇଆଇସି ଶେଷଦେଵ ବେହେରା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *