ଜଗା ବଳିଆ ପିନ୍ଧିବେ ରାଖୀ ଚାଲିଛି ପ୍ରସ୍ତୁତିପୁ

ଜଗା ବଳିଆ ପିନ୍ଧିବେ ରାଖୀ ଚାଲିଛି ପ୍ରସ୍ତୁତି |ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ପାଳିତ ହେବ ରାଖୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ନୀତି । ଭଉଣୀ ସୁଭଦ୍ରା ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ହାତରେ ରାଖୀ ବାନ୍ଧିବେ । ଶ୍ରୀଜଗନ୍ନାଥଙ୍କ ହାତରେ ଦୁଇଟି ଓ ଶ୍ରୀବଳଭଦ୍ରଙ୍କ ହାତରେ ଦୁଇଟି ଏପରି ୪ଟି ରାଖୀ ପାଟରା ବିଶୋୟୀ ସେବକ ପ୍ରସ୍ତୁତି କରୁଛନ୍ତି । ଚିତାଲାଗି ଅମାବାସ୍ଯା ଠାରୁ ରାଖୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଖୀ ନିର୍ମାଣ ପାଇଁ ପାଟରା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି । ବାସୁଙ୍ଗା ପାଟକୁ ହଳଦିଆ, ନାଲି, ନେଳି ଓ ବାଇଗଣି ରଙ୍ଗରେ ରଙ୍ଗୀନ କରାଯାଇ ମାପ ଅନୁସାରେ କାଟି ଗୋଲେଇ କରାଯାଇଛି । କାଠ ପାନିଆରେ ଏହାକୁ ସାଇଜ କରି ୫ ଥାକିଆ ରାଖୀ ପ୍ରସ୍ତୁତ କରାଯାଇଛି । ୪ଟି ଗୁଆମାଳ ପ୍ରସ୍ତୁତ କରାଯାଇଛି । ପ୍ରତି ଗୁଆମାଳରେ ୫୪ଟି ଗୁଆମାଳ ରହିଛି । ଶ୍ରୀ ଜଗନ୍ନାଥଙ୍କୁ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଓ ଶ୍ରୀବଳଭଦ୍ରଙ୍କୁ ନେଳି ଓ ବାଇଗଣି ରଙ୍ଗର ଗୁଆମାଳ ପିନ୍ଧାଇ ଦିଆଯିବ । ବାସୁଙ୍ଗା ପାଟରେ ୧୫ଟି ଛୋଟ ରାଖୀ ପ୍ରସ୍ତୁତ କରାଯାଇଛି । ଏହାକୁ ପାର୍ଶ୍ବ ଦେବାଦେବୀ ପରିଧାନ କରିବେ । ଦୋଳମଣ୍ଡପ ସାହିର ପାଟରା ବିଶୋୟୀ ସନ୍ତୋଷ କୁମାର ପାତ୍ର ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ କୁମାର ପାତ୍ର ସହଯୋଗ କରୁଛନ୍ତି । ପବିତ୍ରତା ଓ ନିଷ୍ଠାର ସହ ରାଖୀ ତିଆରି କରି ନିଜକୁ ଧନ୍ଯ ମନେ କରନ୍ତି ପାଟରା ବିଶୋୟୀ ସେବକ ।

Leave a Reply

Your email address will not be published. Required fields are marked *