ପୁରୀ ଲୋକସଭା ଆସନ ସମେତ ୪ ବିଧାନସଭା ଆସନରେ ବିଜେପି , ୨ ବିଧାନସଭା ଆସନରେ ବିଜେଡି
ପୁରୀ ଲୋକସଭା ଆସନ ସମେତ ୪ ବିଧାନସଭା ଆସନରେ ବିଜେପି ଉ ୨ ବିଧାନସଭା ଆସନରେ ବିଜେଡି । ପୁରୀ,୫।୬- ପୁରୀ ଜିଲ୍ଲାରେ ୬ ବିଧାନସଭା କ୍ଷେତ୍ରରୁ ୪ଟିରେ ବିଜେପି ବିଧାୟକ ପ୍ରାର୍ଥୀ ଜିତିଥିବା ବେଳେ ୨ଟି ବିଜେଡି ବିଧାୟକ ପ୍ରାର୍ଥୀ ଜିତିଛନ୍ତି । ପୁରୀ ଲୋକସଭା ଆସନରେ ବିଜେପିକୁ ବିପୁଳ ବିଜୟ ମିଳିଛି । ବିଜେପି ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କୁ୬ ଲକ୍ଷ ୨୯ ହଜାର ୩୩୦ ଭୋଟ ମିଳିଥିବା ବେଳେ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୫ଲକ୍ଷ ୨୪ ହଜାର ୬୨୧ ଭୋଟ ମିଳିଛି । ଡାକ୍ତର ସମ୍ବିତ ପାତ୍ର ୧ଲକ୍ଷ ୪ହଜାର ୭୦୯ ଭୋଟରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି । ପୁରୀ ଲୋକସଭା ଆସନ ଅଧୀନ ୭ ବିଧାନସଭା ଆସନ ପୁରୀ,ବ୍ରହ୍ମଗିରି,ସତ୍ଯବାଦୀ ,ପିପିଲି, ଚିଲିକା,ରଣପୁର ଓ ନୟାଗଡ଼ ସବୁଠୁ ସମ୍ବିତଙ୍କୁ ଭୋଟ ମିଳିଛି । ପୁରୀ ନିର୍ବାଚନ ମଣ୍ଡଳୀରେ ବି ମୋଦି ମ୍ୟାଜିକ କାମ କରିଛି । ସତ୍ଯବାଦୀ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର ବିପୁଳ ବିଜୟ ହାସଲ କରିଛନ୍ତି । ୧୭ହଜାର ୭୦୮ଭୋଟ ବ୍ଯବଧାନରେ ଓମପ୍ରକାଶ ବିଜେଡିର ସଞ୍ଜୟ କୁମାର ଦାସବର୍ମାଅଙ୍କୁ ପରାସ୍ତ କରିଛନ୍ତି । ଓମପ୍ରକାଶ ୮୭ ହଜାର ୨୯୪ ଭୋଟ ପାଇଥିବା ବେଳେ ସଞ୍ଜୟ ୬୯ ହଜାର ୫୮୬ ଭୋଟ ପାଇଛନ୍ତି । ସେହିପରି ବ୍ରହ୍ମଗିରି ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଉପାସନା ମହାପାତ୍ର ୯ହଜାର ୮୩୦ ଭୋଟରେ ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କୁ ପରାସ୍ତ କରିଛନ୍ତି । ଉପାସନା ୯୫ ହଜାର ୭୮୩ ଭୋଟ ପାଇଥିବା ବେଳେ ଉମାକାନ୍ତ ୮୫ ହଜାର ୯୫୩ ଭୋଟ ପାଇଛନ୍ତି । ପିପିଲି ବିଧାନସଭା ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୯୯ ହଜାର ୩୧୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୮୪ ହଜାର ୧୪୮ ଓ କଂଗ୍ରେସ ପ୍ରାର୍ଥୀ ଜ୍ଞାନ ରଞ୍ଜନ ପଟ୍ଟନାୟକୁ ୩୪୪୯ ଖଣ୍ଡ ଭୋଟ ମିଳିଛି । ଆଶ୍ରିତ ୧୫ ହଜାର ୧୬୨ ଖଣ୍ଡ ଭୋଟ ବ୍ଯବଧାନରେ ରୁଦ୍ର ପ୍ରତାପ ମହାରଥୀଙ୍କ ପରାଜିତ କରିଛନ୍ତି । ନିମାପଡା ବିଧାନସଭା ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ୯୫ ହଜାର ୪୩୦ ଭୋଟ ପାଇଥିବାର ବେଳେ ବିଜେଡିର ବିଧାୟକ ପ୍ରାର୍ଥୀ ଦିଲୀପ କୁମାର ନାୟକ ୯୦ ହଜାର ୮୪୨ ଭୋଟ ପାଇଛନ୍ତି । ପ୍ରଭାତୀ ୪ ହଜାର ୫୮୮ ଭୋଟରେ ବିଜେଡି ବିଧାୟକ ପ୍ରାର୍ଥୀ ଦିଲୀପ କୁମାର ନାୟକଙ୍କୁ ପରାସ୍ତ କରିଛନ୍ତି । ପୁରୀ ବିଧାନସଭା ଆସନରେ ବିଜେଡି ସଫଳତା ଆଣିଛି । ବିଜେଡି ବିଧାୟକ ପ୍ରାର୍ଥୀ ସୁନିଲ କୁମାର ମହାନ୍ତି ୭୪ ହଜାର ୭୦୯ ଭୋଟ ପାଇଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ୬୯ ହଜାର ୫୩୧ ଭୋଟ ପାଇଛନ୍ତି । ସୁନିଲ ୫୧୭୮ ଖଣ୍ଡ ଭୋଟରେ ଜୟନ୍ତଙ୍କୁ ହରାଇ ପୁରୀ ଆସନ ବିଜେଡିକୁ ଫେରାଇ ଆଣିଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ୮୪ ହଜାର ୧୦ ଭୋଟ ପାଇଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲିକ ୬୦ ହଜାର ୮୫୯ ଖଣ୍ଡ ଭୋଟ ପାଇଛନ୍ତି । ତୁଷାରକାନ୍ତି ୨୩ ହଜାର ୧୫୧ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି । ବିଜେପି ଶିବିର ଆନନ୍ଦ ଉଲ୍ଲାସର ସହ ନାଚଗୀତ ମୋଦି ନାରା ଜୟ ଶ୍ରୀରାମ ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟଜନକ ପରିଲକ୍ଷିତ ହୋଇଛି । ଓଡିଶାରେ ପରିବର୍ତ୍ତନ ହୋଇଛି । ଓଡିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ୩ ମାସ ଶାସନରେ ପୂର୍ଣ୍ଣଛେଦ ପଡିଛି । ପରିବର୍ତ୍ତନ ସପକ୍ଷରେ ଯାଇ ବିଧାନସଭାରେ ବିଜେଡିକୁ କ୍ଷମତାଚ୍ୟୁତ କରିଛନ୍ତି ରାଜ୍ୟବାସୀ । ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି । ସରକାର ଗଢିବାର ମ୍ୟାଜିକ ନମ୍ବର ୭୪ ଠାରୁ ଆଗକୁ ଚାଲିଯାଇଛି ବିଜେପି ।
