ସିବିସି ଓ ପିଆଇବି ଭୁବନେଶ୍ୱର ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ସିବିସି ଓ ପିଆଇବି ଭୁବନେଶ୍ୱର ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ l କର୍ତ୍ତବ୍ୟ ପ୍ରତି ସଚ୍ଚୋଟତା ଓ ନିଷ୍ଠା ସୁଶାସନର ଆଧାର: ଅଖିଳ କୁମାର ମିଶ୍ରଭୁବନେଶ୍ୱର, ୨୮ ଅକ୍ଟୋବରଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ଭୁବନେଶ୍ୱର ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ଚଳିତ ବର୍ଷର ବାର୍ତ୍ତା ରହିଛି ‘‘ସମୃଦ୍ଧି ପାଇଁ ସଚ୍ଚୋଟତା’’। ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ କ୍ଷେତ୍ରରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରାଯିବା ସହିତ ନୈତିକ ମୂଲ୍ୟବୋଧ ଏବଂ ଦୁର୍ନୀତି ନିବାରଣର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।କାର୍ଯ୍ୟକ୍ରମରେ ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର; ଏନଏବିଏମର ଉପ ମହାନିର୍ଦ୍ଦେଶକ ଶ୍ରୀ ଭି.ଏମ. ରତ୍ନ ପ୍ରସାଦ, ଦୂରଦର୍ଶନ ଭୁବନେଶ୍ୱରର ଉପନିର୍ଦ୍ଦେଶକ ଡକ୍ଟର ଅଭିଷେକ ମିଶ୍ରା ଯୋଗ ଦେଇଥିଲେ। ଅତିଥିମାନେ ଦୁର୍ନୀତି ନିବାରଣ ଲାଗି ସଚେତନତା ଏବଂ ପ୍ରଶାସନିକ ସେବା କ୍ଷେତ୍ରରେ ସଚ୍ଚୋଟତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ ।ଶ୍ରୀ ଅଖିଳ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ସଚ୍ଚୋଟତା ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ କେବଳ ସ୍ୱାଧୀନ ଭାରତର ପ୍ରଥମ ଗୃହ ମନ୍ତ୍ରୀ ନଥିଲେ, ବରଂ ସେ ଦେଶର ପ୍ରଥମ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମଧ୍ୟ ଥିଲେ। ସେ ସରକାରୀ କର୍ମଚାରୀମାନଙ୍କୁ ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ଆତ୍ମସମୀକ୍ଷା କରିବା ଏବଂ ନିଜ ଦାୟିତ୍ୱ ପ୍ରତି ପ୍ରତିବଦ୍ଧ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରକୃତ ସଚ୍ଚୋଟତା କେବଳ ନିୟମ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଭୟରୁ ଆସେ ନାହିଁ, ବରଂ ଏହା ବ୍ୟକ୍ତିର ଅନ୍ତରାତ୍ମା ଏବଂ ଦାୟିତ୍ୱବୋଧରୁ ସୃଷ୍ଟି ହୋଇଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ ।ଶ୍ରୀ ରତ୍ନ ପ୍ରସାଦ କହିଥିଲେ, ଦୁର୍ନୀତି ନିବାରଣ କେବଳ କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ଏକ ସାମୂହିକ ଦାୟିତ୍ୱ। ଦୁର୍ନୀତିମୁକ୍ତ ବ୍ୟବସ୍ଥାର ମୂଳଦୁଆ ଭାବରେ ସଚ୍ଚୋଟତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତଙ୍କୁ ଦୁର୍ନୀତି ମାମଲା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଆହ୍ୱାନ ଦେଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସାହସିକତା ଓ ଦୃଢ଼ ନେତୃତ୍ୱର ଉଦାହରଣ ଦେଇ ସେ କହିଥିଲେ, ବ୍ୟକ୍ତିଗତ ସଚେତନତା, ନୈତିକ ଆଚରଣ ଏବଂ ପ୍ରଯୁକ୍ତିବିଦ୍ୟାର ସ୍ୱଚ୍ଛ ବ୍ୟବହାର ଏକ ଦୁର୍ନୀତିମୁକ୍ତ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ।ଡକ୍ଟର ଅଭିଷେକ ମିଶ୍ରା କହିଥିଲେ, ସଚ୍ଚୋଟତା କେବଳ ବୃତ୍ତିଗତ ଆଚରଣରେ ନୁହେଁ, ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରତିଫଳିତ ହେବା ଆବଶ୍ୟକ। ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଏବଂ ପ୍ରକୃତ ସମୃଦ୍ଧି ହାସଲ କରିବା ପାଇଁ ଆତ୍ମ-ସଚେତନତା, ନୈତିକ ମୂଲ୍ୟବୋଧ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଅତି ଆବଶ୍ୟକ ।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସଚେତନତା ଏବଂ ଆପୋସ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଦୁର୍ନୀତି ନିବାରଣ ଲାଗି ଶପଥ ଗ୍ରହଣ କରିଥିଲେ ଏବଂ ସାର୍ବଜନୀନ ଜୀବନରେ ସଚ୍ଚୋଟତା ଓ ନୈତିକ ଆଚରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସିବିସିର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିଆଇବିର ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ପିଆଇବିର ସହକାରୀ ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *