ପ୍ରସ୍ତାବିତ ପିପଳପଙ୍କା ଡ୍ୟାମକୁ ବିରୋଧ
।lଚାଷୀ ମୁଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ ଖେତ ମଜଦୁର କିଷାନ ସଭା (AIKMKS) ଓ ମାନବାଧିକାର ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ଏକ ଗଣ ପ୍ରତିବାଦ ସଭା ଆୟୋଜନ ହୋଇଥିଲା।ନିରାକାର ନାୟକଙ୍କ ନେତୃତ୍ୱରେ ଆଦିବାସୀ ମାନେ ମିଳିତ ହୋଇ ସୋରଡ଼ା ନୂଆ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।ଗଞ୍ଜାମ ଜିଲ୍ଲାର ଜୀବନରେଖା ରୁଷିକୂଲ୍ୟା ନଦୀରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବାତିଲ କରିବା ଓ ସୋରଡ଼ା ଜଳ ଭଣ୍ଡାରର ପୁନଃ ଉଦ୍ଧାର କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ, ଗୋଛା ପଂଚାୟତର ପିପଳପଙ୍କା ଠାରେ ଡ୍ୟାମ ନିର୍ମାଣ କରି ରୁଷିକୂଲ୍ୟା ନଦୀର ପାଣିକୁ ଗୋପାଳପୁରସ୍ଥିତ ଟାଟା ଓ ଅନ୍ୟାନ୍ୟ କମ୍ପାନୀକୁ ଯୋଗାଇବା ପାଇଁ ତତ୍କାଳୀନ ସରକାର ପିପଳପଙ୍କା ଠାରେ ୧୦୦୦କୋଟି ଟଙ୍କା ବ୍ୟୟରେ ଏକ ଡ୍ୟାମ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ l ଏହି ପ୍ରକଳ୍ପ ନିର୍ମାଣ ହେଲେ ବହୁ ସଂଖ୍ୟକ ଚାଷୀ ଓ ଆଦିବାସୀ ପରିବାର ବିସ୍ଥାପିତ ହେବା ସହିତ ସବୁଜ ବନାନୀ ଓ ଉର୍ବର ଚାଷ ଜମି ଓ ଜଙ୍ଗଲ ସବୁ ଦିନ ପାଇଁ ଡ୍ୟାମ ତଳେ ବୁଡ଼ିଯିବ। ସୋରଡ଼ା ସମେତ ଧରାକୋଟ, ସାନଖେମୁଣ୍ଡି ,ଆସ୍କା,ଶେରଗଡ଼,ପୁରୁଷୋତ୍ତମପୁର ,ଛତ୍ରପୁର,ଗୋପାଳପୁର ବ୍ଲକର ଯେଉଁ ଲକ୍ଷ ଲକ୍ଷ ଚାଷୀ ବର୍ଷ ତମାମ ଋଷିକୂଲ୍ୟା ନଦୀରୁ ନିଜ ଚାଷ ଜମିକୁ ପାଣି ନେଇ ଚାଷବାସ କରୁଛନ୍ତି ସେମାନେ ତାହା ଆଉ ପାଇବେ ନାହିଁ । ଫଳରେ ଏଠାକାର ଚାଷୀଙ୍କ ସମେତ ନଦୀ କୂଳ ଅବବାହିକାର ସମସ୍ତ ଅଂଚଳର ଚାଷ ଜମିରେ ଅକାଳ ମରୁଡି ପଡିବ ଓ ଚାଷୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିବ lବର୍ତମାନ ସୋରଡ଼ା ସମେତ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ଭାରତୀୟ ବିରଳ ମୂର୍ତ୍ତିକା,ଗୋଳାବନ୍ଧ ଆର୍ମି କ୍ୟାଣ୍ଟିନ, ପୁରୋଷୋତ୍ତମ ପୁର, ଗଞ୍ଜାମ, ହୂମ୍ମା ଆଦି ଅଞ୍ଚଳବାସୀ ପାନୀୟ ଜଳ ଓ ଦୈନନ୍ଦିନ ବ୍ୟବହାର ପାଇଁ ଏକମାତ୍ର ରୁଷିକୂଲ୍ୟା ନଦୀ ଜଳ ଉପରେ ନିର୍ଭରଶୀଳ ଅଟନ୍ତି l କିନ୍ତୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀର ଆବଶ୍ୟକତା ମେଣ୍ଟାଇବାପାଇଁ ହେଉଥିବା ପିପଳପଙ୍କା ପ୍ରକଳ୍ପ ଦ୍ୱାରା ପିଇବା ଓ ଚାଷବାସ କରିବା ନିମନ୍ତେ ପାଣି ଟୋପାଏ ପାଇବେ ନାହିଁ। ପାଣି ଅଭାବରେ ଡହଳ ବିକଳ ହେବା ସୁନିଶ୍ଚିତ l ଏହା ସହ କାଳ କାଳରୁ ପ୍ରକୃତି ଦତ୍ତ ଏହି ଚିରଶ୍ରୋତା ନଦୀ ଅଳ୍ପ ଦିନରେ ଶୁଖିଯିବ l ଏଥିରେ ଜୀବଜନ୍ତୁ,ବନ୍ୟଜନ୍ତୁ,ଗାଈ ଗୋରୁ,ବଣ ଜଙ୍ଗଲ ସମେତ ସମସ୍ତ ଜୀବନ ଗଭୀର ଭାବେ ପ୍ରଭାବିତ ହେବ।ରାଜ୍ୟ ସରକାରଙ୍କ ପରିବେଶ ମଞ୍ଜୁରୀ, ଜଙ୍ଗଲ ସୁରକ୍ଷା ପାଇଁ ପାଇଥିବା ବିଭିନ୍ନ ପ୍ରକାର ଆଇନଗତ କଟକଣାକୁ ଭଣ୍ଡୁର କରି ଟାଟା କମ୍ପାନୀ ହାତକୁ ଋଷିକୂଲ୍ୟା ନଦୀକୁ ଟେକିଦେବାପାଇଁ ପୂର୍ବ ସରକାର ହୀନ ଉଦ୍ୟମ ଆରମ୍ଭ କରିଥିଲେ। ବର୍ତମାନ ରାଜ୍ୟରେ ନୂଆ ବିଜେପି ସରକାର ଶାସନରେ ଆସିଛନ୍ତି l ଜଣେ ଆଦିବାସୀ ନେତାଭାବେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଅଛନ୍ତି।ଆଦିବାସୀ,ଦଳିତ ଓ କୃଷକ ସମୁଦାୟର ଦାବି ପ୍ରତି ଗୁରୁତ୍ୱର ସହ ଦୃଷ୍ଟି ଦେଇ ପୁରୁଣା ସରକାରର ଜନ ବିରୋଧି ନିଷ୍ପତ୍ତିର ପରିବର୍ତ୍ତନ କରିବେ ବୋଲି ଆଶା ରଖିଛନ୍ତି। ରୁଷିକୂଲ୍ୟା ନଦୀ କେବଳ ଗୋଟିଏ ନଦୀ ନୁହଁ, ଏହା ସମଗ୍ର ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଏକ ଜୀବନରେଖା ଅଟେ l ଜୀବନରେଖା ଋଷିକୂଲ୍ୟା ନଦୀର ସୁରକ୍ଷା ସହ ଜିଲ୍ଲାର ଜୀବନ ଜୀବିକା , ବଣ,ଜଙ୍ଗଲ, ପରିବେଶ ଓ ଚିରଶ୍ରୋତା ରୁଷିକୂଲ୍ୟା ନଦୀ ବଞ୍ଚାଇବା ସହିତ ସୋରଡ଼ା ଜଳ ଭଣ୍ଡାରର ପୁନଃରୁଦ୍ଧାର କରିବାକୁ ଅନୁରୋଧ କରାଯାଇଛି। ଏହି ଗଣ ପ୍ରତିବାଦରେ ଗଗନ ଚନ୍ଦ୍ର ମଳିକ, ସାଥୀ ଆଇଆନଜୀବୀ ଅବନୀ କୁମାର ଗୟା,ସାଥୀ ଦୁଃଶାସନ ମଳିକ, ସୂର୍ଯ୍ୟକାନ୍ତ ମଳିକ, ପିତର ପ୍ରଧାନ, ଶ୍ୟାମ ପ୍ରଧାନ, ପଞ୍ଚମୀ ମଳିକ,ଅଶୋକ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।
