ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠି

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ପୁରୀ :୩୦/୩ ୨୦୨୪ ମସିହା ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କ ସହଯୋଗ ରେ ମହାପ୍ରଭୁଙ୍କ ରଥଯାତ୍ରା କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଆହ୍ଵାନ ଦେଇଥିଲେ। ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଚଳିତ ବର୍ଷ ନିର୍ବାଚନ ସହ ରଥଯାତ୍ରା ର ପ୍ରସ୍ତୁତି କରିବାକୁ ହେବ।ତେଣୁ ପ୍ରତ୍ୟେକ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଖଳା ପରିଷ୍କାର, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏସ ପି ପୀନାକ ମିଶ୍ର ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ରକ୍ଷା ର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ସମସ୍ତ କାର୍ଯ୍ୟ ର ସଫଳତା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଅସୁରକ୍ଷିତ ବିଲ୍ଡିଂ ର ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ର ସମୀକ୍ଷା ଇତ୍ୟାଦି କୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ ବିଗତ ବର୍ଷ ମାନଙ୍କର ରଥଯାତ୍ରା ପରିଚାଳନା ସମ୍ପର୍କରେ ଆଲୋକପାତ କରି ଅନୁଭବ ଓ ଅଭିଜ୍ଞତା ଆଧାର ରେ ରଥଯାତ୍ରା କୁ ସଫଳ କରିବାକୁ ଅନୁରୋଧ କରିଥିଲେ। ନିତୀ ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ରଥକାଠ ର ଆବଶ୍ୟକତା, ଉପଲବ୍ଧ କାଠର ବିବରଣୀ, ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ।ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ରଥଯାତ୍ରା ର ସଫଳ ଆୟୋଜନ ପାଇଁ ବିବିଧ ପରାମର୍ଶ ଦେବା ସହ ପରିକ୍ରମା ପ୍ରକଳ୍ପ ପରେ ଏହା ପ୍ରଥମ ରଥଯାତ୍ରା ହୋଇ ଥିବାରୁ ବ୍ୟାପକ ଜନଗହଳି ର ଆଶା ଥିବାରୁ ସେଥିପାଇଁ ବ୍ୟବସ୍ଥା ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡି,ଦୂର୍ଗା ପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଜଗନ୍ନାଥ ସିଂହାରୀ,ମାଧବ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର,, ପୌରନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା , ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ରାକେଶ କୁମାର ପଣ୍ଡା,ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ରଥଯାତ୍ରା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ତାରିଖରେ ଅନୁଷ୍ଠିତ ହେବ ବୋଲି ନିତୀ ପ୍ରଶାସକ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *