ଓଏସପିସିବି-ଉତ୍କଳ ଆଦିତ୍ୟ ରିଫାଇନେରୀ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ଟିକିରୀ, ୨୫/୫: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଉତ୍କଳ ଆଲୁମିନା, ଉତ୍କଳ ଆଦିତ୍ୟ ରିଫାଇନେରୀ ଓ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ଓଏସପିସିବି) ମଧ୍ୟରେ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ଅଭିଯାନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ସ୍ଥାନୀୟ ଓଷାପଡ଼ା ସ୍ଥିତ ଟାଉନସିପ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ୨୦ ଓଭର ବିଶିଷ୍ଟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍‌ର ୟୁନିଟ୍ ହେଡ୍ ଶ୍ରୀ ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ସିତିକାନ୍ତ ସାହୁ, ବଲାଙ୍ଗିର ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ବବିତା ସିଂ, ପରିବେଶ ଯନ୍ତ୍ରୀ ଶ୍ରୀ ଦେବବ୍ରତ ସେଠୀ, ବରିଷ୍ଠ ପରିବେଶ ଯନ୍ତ୍ରୀ ଶ୍ରୀ ସନ୍ତୋଷ ପଣ୍ଡା, ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଶ୍ରୀ ସତ୍ୟନାରାୟଣ ନନ୍ଦ, ରାଉରକେଲା ଆଞ୍ଚଳିକ ଅଧିକାରୀ ଶ୍ରୀ ଅନୁପ ମଲ୍ଲିକ, ରାୟଗଡା ଆଞ୍ଚଳିକ ଅଧିକାରୀ ଶ୍ରୀ ଅଶୋକ କୁମାର ଭୋଇ, ରାୟଗଡା ଉପ-ଯନ୍ତ୍ରୀ ଶ୍ରୀ ରେପୁ କୁମାର ସାହୁ, ୟୁଆଇଏଏଲ ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର ଓ ଆଦିତ୍ୟ ରିଫାଇନେରୀର ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ମଜହର ବେଗ୍ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ଉଦବୋଧନ ଦେଇ କହିଥିଲେ ଯେ, ପ୍ରଦୂଷଣ ଜନିତ ବିପଦକୁ ହ୍ରାସ କରିବା, ପଲିଥିନ୍ ବ୍ୟବହାରକୁ ନିରୁତ୍ସାହିତ କରିବା ଓ ପ୍ରାକୃତିକ ସମ୍ପଦର ସୁବିବେଚିତ ବ୍ୟବହାର ମାଧ୍ୟମରେ ପରିବେଶର ସୁରକ୍ଷା କରି ଏକ ସ୍ଥାୟୀ ଭବିଷ୍ୟତ ଗଢ଼ି ତୋଳିବା ଆବଶ୍ୟକ।

ବରିଷ୍ଠ ପରିବେଶ ଯନ୍ତ୍ରୀ ଶ୍ରୀ ଦିଲୀପ ଦାସ ମଧ୍ୟ ସମାବେଶକୁ ସମ୍ବୋଧିତ କରି ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସମ୍ଭବ ଥିଲେ ଗାଡ଼ି ପରିବର୍ତ୍ତେ ସାଇକେଲ୍ ବ୍ୟବହାରକୁ ଉତ୍ସାହିତ କରିଥିଲେ।ମ୍ୟାଚ୍‌ରେ ଓଏସପିସିବି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍ ସଂଗ୍ରହ କରିଥିଲା। ପରବର୍ତ୍ତୀ ସମୟରେ ଉତ୍କଳ ଆଦିତ୍ୟ ରିଫାଇନେରୀ ଦଳ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ମାତ୍ର ୩ ରନ୍‌ରେ ପରାଜିତ ହୋଇଥିଲା। ଫଳରେ ମ୍ୟାଚ୍‌ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଓଏସପିସିବିର ପ୍ରାୟ ୫୯ ଜଣ ସଦସ୍ୟ ଯୋଗଦେଇଥିବା ବେଳେ ଉତ୍କଳ ଆଦିତ୍ୟ ରିଫାଇନେରୀ ପକ୍ଷରୁ ଶ୍ରୀ ନାରାୟଣ ମିତ୍ର, ଶ୍ରୀ କିରଣ ନାୟକ, ଶ୍ରୀ ସମୀର ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ପରିବେଶ ବିଭାଗର ଶ୍ରୀ ସୁରେନ୍ଦ୍ର ସିଓରାନ, ଶ୍ରୀ ଚନ୍ଦନ ଚୌଧୁରୀ, ଶ୍ରୀ ସୁବ୍ରମଣ୍ୟୁ କୁଣ୍ଡ ଓ ଅନ୍ୟ ସଦସ୍ୟମାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସମସ୍ତ ଅତିଥିମାନେ ଚାରା ରୋପଣ କରି ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ଗଠନର ବାର୍ତ୍ତା ଦେଇଥିଲେ। ଏହି ପଦକ୍ଷେପ ଉତ୍କଳ ଆଲୁମିନା ଓ ଆଦିତ୍ୟ ରିଫାଇନେରୀର ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ଓ ସମସ୍ତ ହିତଧାରୀଙ୍କ ସହ ସହଯୋଗମୂଳକ ସମ୍ପର୍କର ପ୍ରତିଫଳନ ପ୍ରମାଣିତ କରିଛି।

Leave a Reply

Your email address will not be published. Required fields are marked *