ଆମରି ଭାଷା ଓଡ଼ିଆ


           

ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
ଆହେ ମୋ ଓଡ଼ିଆ ଜାତି
ତୁମେ ହିଁ ଆଧାର ହୃଦରେ ଭରିଛ
ଆମ ପ୍ରିୟ ଭାଷା ପ୍ରୀତି ।।
ଜଙ୍ଗଲରେ ଫୁଟେ ବଣମଲ୍ଲୀ କେତେ
ଅକାଳରେ ଯାଏ ଝରି
ସେହି ବଣମଲ୍ଲୀ ବିକାଶ ସାଧନେ
ପ୍ରୟାସ ରଖିଛ ଜାରି ।।
ଉତ୍କଳ ପ୍ରଦେଶେ ସାହିତ୍ୟିକ ମନେ
ଭରିଦେଇ କେତେ ସ୍ବପ୍ନ
ସାରା ରାଇଜରେ ସାହିତ୍ୟ ଉନ୍ନତି
ବିକଶିତ ହେଉ ମନ ।।
ଭାବର ବାହକ ସ୍ରଷ୍ଟା ମନକଥା
ଭାଷା ହିଁ ଅଟେ ମାଧ୍ୟମ
ଆମ ପରମ୍ପରା ଆମରି ସଂସ୍କୃତି
ସାରା ଜଗତେ ମହାନ ।।
ଜଗତ ତମସା ଦୂର କରିଥାଅ
ଭାଷାର ଆଲୋକ ବୁଣି
ନବ ସୃଷ୍ଟି ସର୍ଜି ସଂସ୍କୃତି ରକ୍ଷଣେ
ଭାଷା ହୁଏ ମଥାମଣି ।।
ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ
ରାଜ୍ୟେ ଆୟୋଜନ କରି
କାଳଜୟୀ ହେବ ଆମ ମାତୃଭାଷା
ବିଶ୍ଵରେ ପକାଇ ହୁରି ।।
ସବୁଠୁଁ ସୁନ୍ଦର ସବୁଠୁଁ ମଧୁର
ଆମରି ଭାଷା ଓଡ଼ିଆ
ମହୁଠାରୁ ମିଠା ଜଗତେ ବିଖ୍ୟାତ
ଆମରି ଭାଷା ଓଡ଼ିଆ ।।

ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ
ନନ୍ଦଳା, ପୁରୀ

Leave a Reply

Your email address will not be published. Required fields are marked *