ବିରଳ ପଞ୍ଚମୁଖି ଗଣେଶ ଙ୍କ ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା

ଧରାକୋଟ :-୦୭/୦୯ ଧରାକୋଟ ରାଜବାଟୀ ପରିସରରେ ବୃନ୍ଦାବନ ଚନ୍ଦ୍ର ମହାପ୍ରଭୁଙ୍କ ମନ୍ଦିର ବେଢାରେ ପାର୍ଶ୍ଵ ଦେବତା ଭାବରେ ପ୍ରତିଷ୍ଠିତ ହୋଇଥିବା ବିରଳ ପଞ୍ଚମୁଖି ଗଣେଶ ଠାକୁରଙ୍କ ବିଜେ ପ୍ରତିମୂର୍ତ୍ତି କୁ ଆଜି ଗଣେଶ ପୂଜା ଅବସରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଛି । ପ୍ରଭାତରୁ ସଂକଳ୍ପ ପରେ ଧୂପ,ଦୀପ,ନୈବେଦ୍ୟ ଅର୍ପଣ ପରେ ପୂଜା ପାଠ ସହ ହୋମ ଯଜ୍ଞ କରାଯାଇଥିଲା । ଧରାକୋଟ ଗଡର ତତ୍କାଳୀନ ରାଜା ସ୍ବର୍ଗତ ପୁରୁଷୋତ୍ତମ ସିଂହଦେଓ ଙ୍କର ଜ୍ୟେଷ୍ଠ ପୁତ୍ର ସ୍ବର୍ଗତ ରାଜା ରାମଚନ୍ଦ୍ର ସିଂହଦେଓ ୧୭୦୦ ରୁ ୧୭୩୧ ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ । ସେହି ସମୟରେ ରାମଚନ୍ଦ୍ର ସିଂହଦେଓ ତୀର୍ଥ କରିବା ଉଦ୍ଦେଶ୍ୟରେ ବୃନ୍ଦାବନ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ ରାଜବାଟି ରେ ପ୍ରତିଷ୍ଠା ପାଇଁ ଏକ ଶିବଲିଙ୍ଗ ସାଥିରେ ଆଣିବା ବେଳେ ଯମୁନା ନଦୀ କୂଳରେ ଏହାକୁ ରଖି ବିଶ୍ରାମ ନେଉଥିବା ବେଳେ ଶିବଲିଙ୍ଗ ଟି ଦୁଇଫାଳ ହୋଇଯାଇଥିଲା । ରାଜ ସେଥିରୁ ଗୋଟିଏ ଫାଳ ଲିଙ୍ଗ ଆଣି ସେଥିରେ ବିଷ୍ଣୁ ପ୍ରତିମା ଗଢ଼ାଇ ବୃନ୍ଦାବନ ଚନ୍ଦ୍ର ନାମରେ ନାମିତ କରି ଏକ ମନ୍ଦିର ତୋଳାଇ ଥିଲେ । ସେହି ବୃନ୍ଦାବନ ଚନ୍ଦ୍ର ମନ୍ଦିରର ପାର୍ଶ୍ଵ ଦେବତା ଭାବରେ ପୂର୍ବ,ପଶ୍ଚିମ,ଉତ୍ତର ଭାଗରେ ଯଥାକ୍ରମେ ବରାହ,ନରସିଂହ,ବାମନ ରହିଥିବା ବେଳେ ଦକ୍ଷିଣ ପାର୍ଶ୍ଵରେ ବିରଳ ପଞ୍ଚମୁଖି ଗଣେଶ ପ୍ରତିଷ୍ଠିତ ହୋଇଛନ୍ତି । ସମ୍ପୂର୍ଣ କଳା ମୁଗୁନି ପଥରରେ ନିର୍ମିତ ଏହି ମୂର୍ତ୍ତିରେ ସିଦ୍ଧି ଓ ରିଦ୍ଧି ଭାବ ରହିଛି । ବୃନ୍ଦାବନ ଚନ୍ଦ୍ର ମନ୍ଦିରର ଅନ୍ୟ ଏକ ସ୍ଵତନ୍ତ୍ରତା ହେଲା ଏହାର ମୁଖଶାଳା ପାର୍ଶ୍ଵରେ ରାମାୟଣ କୁ ସମ୍ପୂର୍ଣ ଚିତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଛି । ଏଠାରେ ସ୍ଥାପିତ ପଞ୍ଚମୁଖୀ ଗଣେଶ ସମଗ୍ର ଭାରତ ବର୍ଷରେ ଏକ ବିରଳ ପ୍ରତିମା । ଏହିପରି ଅନ୍ୟଏକ ପ୍ରତିମା କେରଳ ରାଜ୍ୟରେ ରହିଥିବା ଜଣାଯାଇଛି । ଏଣୁ ଏହି ସ୍ୱତନ୍ତ୍ର ପଞ୍ଚମୁଖୀ ଗଣେଶ ପ୍ରତିମାକୁ ରାଜପରିବାର ତରଫରୁ ସୁଲକ୍ଷଣା ଗୀତାଞ୍ଜଳି ଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *